(ମହାଭାରତ, କାଶୀପୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବେକରେ ଓଢଣୀ ଲଗାଇ ଘରର ଛାତରେ ଝୁଲି ଆତ୍ମଗତ୍ୟା କରିବାକୁ ଉଦ୍ୟମ କରିବା ବେଳେ ଓଢଣୀ ଛିଡିଯିବାରୁ ତଳେ ପଡି ମୃତ୍ୟୁ ହୋଇଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ପ୍ରଶାନ୍ତ ପଣ୍ଡା ବୋଲି ଜଣାପଡିଛି । ପେଶାରେ ସେ ଜଣେ ଶିକ୍ଷକ ଥିଲେ । ସୂଚନା ଅନୁଯାୟୀ, ପ୍ରଶାନ୍ତ ପ୍ରାୟ ୧୦ ବର୍ଷ ହେବ ଟିକିରିରେ ଏକ ଭଡା ଘରେ ରହୁଥିଲେ । ଗତ ବୁଧବାର ରାତିରେ ତାଙ୍କର ପରିବାର ଲୋକେ ଖାଇ ସାରି ଶୋଇବା ସମୟରେ ତାଙ୍କ ସ୍ତ୍ରୀର ଓଢଣୀ ଆଣି ଘରର ଛାତ ଏଙ୍ଗଲରେ ଫାଶୀ ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଓଢଣୀଟି ଛିଡି ଯାଇଥିଲା । ଫଳରେ ସେ ତଳେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛି । ଘଟଣା ପ୍ରଚାରିତ ହେବା ପରେ ଟିକିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ କିଛି ଦିନ ଧରି ମାନସିକ ଚାପଗ୍ରସ୍ତ ରହିଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।
previous post