ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ଧାରା ୩୭୦ଲାଗୁ କରିବା ସହ ବିଭିନ୍ନ ପ୍ରତିବନ୍ଧକ ଲଗାଇବାକୁ ନେଇ ସୁପ୍ରିମ କୋର୍ଟ ମୋଦି ସରକାର ଉପରେ ତୀକ୍ଷ୍ନ ଟିପ୍ପଣୀ ଦେଇଛନ୍ତି । କୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି, ଦୀର୍ଘ ସମୟ ଧରି ଧାରା ୧୪୪ ଲାଗୁ କରିବା ଓ ଇଣ୍ଟରନେଟ ବ୍ୟାନ କରିବା ସରକାର ଦ୍ୱାରା ନିଜ ଶକ୍ତିର ଦୂରୁପଯୋଗ କରିବା ସମାନ । ଇଣ୍ଟରନେଟ ସେବା ସମ୍ପ୍ରତି ଅତି ଜରୁରୀ ହୋଇଥିବା ବେଳେ ଏହା ଉପରେ ରୋକ ଲଗାଯାଇଛି । ଏହା ଲୋକଙ୍କ ମୌଳିକ ଅଧିକାରର ହନନ । ଏହାକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କାଶ୍ମୀରରେ ୧୬ ଦେଶର ପ୍ରତିନିଧି ଥିବା ସମୟରେ କୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି ।
କୋର୍ଟ ସରକାରକୁ ଘାଟିରେ ଜାରି କରାଯାଇଥିବା ସମସ୍ତ ପଦକ୍ଷେପ ଓ ଆଦେଶ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ପରେ ନରେନ୍ଦ୍ର ମୋଦି ସରକାରକୁ ସେଠାରେ ଲଗାଯାଇଥିବା ପ୍ରତିବନ୍ଧକ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ହେବ । କୋର୍ଟ ମାତ୍ର ୭ ଦିନ ମଧ୍ୟରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳ ସ୍ୱାଗତ କରିଛନ୍ତି । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ନାଗରିକ ଅପେକ୍ଷା କରିଥିଲେ । ସେ ଆହୁରି କହିଛନ୍ତି, ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି, ୫ ଅଗଷ୍ଟ ୨୦୧୯ରୁ ଯେଊଁ ସବୁ ଆଦେଶ ଜାରି କରିଥିଲେ ସେସବୁକୁ ସାର୍ବଜନୀନ କରାଯାଉ ।