ମହାଭାରତ, ହିଞ୍ଜିଳି: ଗଂଜାମ ଜିଲ୍ଲା ଶେରଗଡ ବ୍ଳକ ନରେନ୍ଦ୍ରପୁର ଗାଁର ଉଚ୍ଚ ଶିକ୍ଷିତ ଯୁବକ ଗଦାଧର ସାହୁ । ସେ ସପ୍ତମ ପାଠ ପଢୁଥିବା ବେଳେ ଏକ ଟ୍ରେନ ଦୁର୍ଘଟଣାରେ ଦୁଇ ଗୋଡ ହରାଇ ପାଲଟି ଯାଇଥିଲେ ଦିବ୍ୟାଙ୍ଗ । ଗୋଡ ହରାଇ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେ କେବେ ବି ଭାଙ୍ଗି ପଡି ନ ଥିଲେ କି ନିଜକୁ ଅନ୍ୟମାନଙ୍କଠାରୁ କୌଣସି ଗୁଣରେ ନିଜକୁ କମ ଭାବି ନ ଥିଲେ ।
ଶେରଗଡ ବ୍ଲକ ନରେନ୍ଦ୍ର ପୁର ଗାଁର ଗଦାଧର ସାହୁ । ପିଲାଟି ଦିନରୁ ସ୍ୱପ୍ନ ଦେଖିଥିଲେ ସେନା ବହିନୀରେ ଯୋଗ ଦେବେ । ଦେଶ ମାତୃକାର ସେବାରେ ନିଜକୁ ଉର୍ତ୍ସଗ କରିବେ । କିନ୍ତୁ ଦଇବ ଦାଉ ସାଧିଲା । ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ନିଜର ଗୋଡ ହରାଇ ବସିଥିଲେ । ତାଙ୍କ ସବୁ ସ୍ୱପ୍ନ ସ୍ୱପ୍ନ ହୋଇ ରହିଗଲା । କିନ୍ତୁ ଏହି ଦୁର୍ଘଟଣା ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗି ପାରି ନ ଥିଲା । ସେ ଆଗକୁ ଅଧ୍ୟୟନ ଜାରି ରଖିଥିଲେ । ୨୦୧୬ ମସିହାରେ ହ୍ୱିଲି ଚେୟାରରେ ବସି ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମିଷ୍ଟର ଓଡିଶା ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ରାଜ୍ୟରେ ପ୍ରଥମ ହୋଇପାରିଥିଲେ । ଏହି ସମ୍ମାନ ତାଙ୍କ ଆତ୍ମବିଶ୍ୱାସକୁ ଆହୁରି ସୁଦୃଢ କରିଥିଲା ଓ ସେ ଆନ୍ତର୍ଜାତିକସ୍ତରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ଆଶା ବାନ୍ଧି ନିଜ ସ୍ୱାସ୍ଥ୍ୟ ପ୍ରତି ଆହୁରି ସଜାଗ ହୋଇଥିଲେ । ଏହି ଦିବ୍ୟାଙ୍ଗ ଆଜି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅନ୍ୟ ଦିବ୍ୟାଙ୍ଗଙ୍କ ପରି ପର ଉପରେ ନିର୍ଭର ନ କରି ବା ଭିକ୍ଷା ବୃତ୍ତିକୁ ନ ଆପଣେଇ ଗାଁ ଛକରେ ଏକ ଫାଷ୍ଟ ଫୁଡ ଦୋକାନ ଦେଇଛନ୍ତି । ସ୍ୱାସ୍ଥ୍ୟ ପ୍ରତି ସଚେତନ ଗଦାଧରଙ୍କ ଫାଷ୍ଟ ଫୁଡ ଦୋକାନରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଅଧିକ ତେଲ ମସଲା ନ ଥାଏ, କିନ୍ତୁ ପାଟିକୁ ଭାରି ସୁଆଦିଆ ହୋଇଥାଏ । ତେଣୁ ତାଙ୍କ ଦୋକାନ ପାଖରେ ଗ୍ରାହାକଙ୍କ ପ୍ରବଳ ଭିଡ । ତାଙ୍କ ବ୍ୟବହାର ମଧ୍ୟ ଗ୍ରାହକଙ୍କୁ ଆତ୍ମୀୟ କରି ଗଢି ତୋଳେ । ଯିଏ ଥରେ ଗଦାଧରଙ୍କୁ ଦେଖିଛି, ତାଙ୍କୁ ଭୁଲିପାରି ନାହିଁ । ସମସ୍ତେ ତାଙ୍କ ଦୀର୍ଘ ଓ ସଫଳତା କାମନା କରନ୍ତି ।