(ମହାଭାରତ, ସମ୍ବଲପୁର): ଧାନ କିଣାରେ ଟୋକନ ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ମଙ୍ଗଳବାର ଠାରୁ ରାସ୍ତାକୁ ଓହ୍ଲାଇଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟୋକନ କଷ୍ଟ ଦୂର ଲାଗି ସମ୍ବଲପୁର ଉପଜିଲ୍ଲାପାଳ ୫ ଦଫା ସମ୍ବଳିତ ଲିଖିତ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏହି ପ୍ରତିଶୃତି ମଧ୍ୟରେ ପିପିଏସରେ ନାଁ ପଞ୍ଜୀକରଣ କରିଥିବା ଚାଷୀଙ୍କ ଧାନ ମଣ୍ଡିକୁ ଆସିଲେ ଟୋକନ ତିଆରି କରାଯାଇ ବିକ୍ରି ବ୍ୟବସ୍ଥା ହେବ । ଆଧାର ସମ୍ବନ୍ଧୀୟ ଯେଉଁ ଚାଷୀଙ୍କ ଅସୁବିଧା ଦେଖାଦେବ ସେମାନଙ୍କ ସମ୍ପର୍କୀୟଙ୍କ ଆଧାର ସହ ଲିଙ୍କ କରି ପେମେଣ୍ଟ କରାଯାଇପାରିବ । ଏହା ବ୍ୟତୀତ ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ୭ ଦିନ ମଧ୍ୟରେ ଏହାର ସମାଧାନ ହେବ । ଧାନର ମାନ ସମ୍ପର୍କୀୟ ସମସ୍ୟା ସମାଧାନ ପାଇଁ ସ୍କ୍ୱାର୍ଡ ଗଠନ ହେବ ଏବଂ କୁଚିଣ୍ଡା ଉପଖଣ୍ଡରେ ଦେଖାଦେଇଥିବା ଟୋକନ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଲିଖିତ ଭାବେ ଜଣାଇଛନ୍ତି । ସରକାର ଦେଇଥିବା ପ୍ରତିଶୃତି ପାଳନ କରିନଥିବାରୁ ଧାନ କିଣାଯାଇ ପାରୁନଥିବା ଅଭିଯୋଗ କରି ମଙ୍ଗଳବାର ଏଠାରେ ଚାଷୀମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।
previous post
next post