(ମହାଭାରତ ): ରାୟଗଡା ଟାଉନ ସ୍ଥିତ ଏକ ନକଲି ତେଲ ତିଆରି କାରଖାନା ଉପରେ ପୋଲିସ ଚଢାଉ କରିଛି । ଏଠାରେ ବେଆଇନ ଭାବେ ରଖାଯାଇଥିବା ବିପୁଳ ମାତ୍ରାର ଖାଇବା ତେଲର ପାଉଚ୍, ପ୍ଲାଷ୍ଟିକ ଡବା ଓ କଣ୍ଟେନର ଜବତ କରିଛି । ଏହି କାରଖାନାର ମାଲିକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଗୌତମ ନଗର ଅଞ୍ଚଳରେ ଥିବା ଦୁର୍ଗା ଶ୍ରୀ ପ୍ୟାକର୍ସ ନାମକ ଏହି କାରଖାନା ଉପରେ ରାୟଗଡା ପୋଲିସ ମଙ୍ଗଳବାର ଚଢାଉ କରିଥିଲା । ରାୟଗଡା ଥାନା ଆଇଆଇସି ରିଗାନ କିଣ୍ଡୋ ଓ ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀ ଏହି ଚଢାଉରେ ସାମିଲ ହୋଇଥିଲେ । ଉକ୍ତ କାରଖାନାରେ ଚଢାଉ ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରଖାଯାଇଥିବା ବିପୁଳ ପରିମାଣର ନକଲି ଖାଇବା ତେଲ ଜବତ ହୋଇଥିଲା । ତେବେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ନାମରେ ପଞ୍ଜିକୃତ ହୋଇଥିବା ଏହି କାରଖାନାର ଥଣ୍ଡା ପାନୀୟ ଓ ଫଳ ରସ ପ୍ରସ୍ତୁତି ପାଇଁ ଲାଇସେନ୍ସ ଥିବା ବେଳେ ଏଠାରେ ଅବୈଧ ଭାବେ ନକଲି ତେଲ ପ୍ରସ୍ତୁତ କରାଯାଉଥିଲା । ଏହି ନକଲି ତେଲର ନମୁନା ସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇଥିବା ବେଳେ ଏହି କାରଖାନାର ମାଲିକ ଟି ଦୁର୍ଗା ପ୍ରସାଦଙ୍କୁ ଗିରଫ କରାଯାଇଛି । ନକଲି ଖାଇବା ତେଲ ପ୍ରସ୍ତୁତ ଓ ଜିଲ୍ଲା ଏବଂ ବାହାରକୁ ଚାଲାଣ କରିବା ଅଭିଯୋଗରେ କାରଖାନା ମାଲିକଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ।
previous post