(ମହାଭାରତ, କପ୍ତିପଦା): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ମହୁଲଡିହା ଥାନା ଅଞ୍ଚଳର କିରକିଚିଆପାଳ ଗାଁର ବୋଲି ଜଣାପଡିଛି । ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବାକୁ ସେ ଧମକ ଦେଇଥିଲା । ତେବେ ପୀଡିତାଙ୍କ ପରିବାର ଏସମ୍ପର୍କରେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଆଧାର କରି କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ଗତ ଶିବରାତ୍ରୀ ପୂର୍ବଦିନ ମହୁଲଡିହା ଥାନା କିରକିଚିଆପାଳ ଗାଁର ରମ୍ଶେ ଦଳାଇ ଜବରଦସ୍ତ ଉଠାଇ ନେଇଥିଲା । ନାବାଳିକାଙ୍କୁ ପ୍ରଥମେ ଦିନ ବେଳା ସ୍ଥାନୀୟ ଭେଜିଡିହା ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ରାତିରେ ନିଜ ଘରକୁ ନେଇ ପୁଣି ଦୁଷ୍କର୍ମ କରିଥିଲା । ତା’ ପରଦିନ ପୀଡିତାଙ୍କୁ ଘଟଣା ବାବଦରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏହାସହ ଉଦଳା ବସଷ୍ଟାଣ୍ଡରେ ତାଙ୍କୁ ଛାଡି ଚାଲିଯାଇଥିଲା । ପରେ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ଏହି ଘଟଣା ବାବଦରେ କହିଥିଲେ । ପରେ ଏନେଇ କପ୍ତିପଦା ଥାନାରେ ପୀଡିତାଙ୍କ ପରିବାର ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କପ୍ତିପଦା ପୋଲିସ ଅଭିଯୁକ୍ତକୁ ତା ଗାଁରୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରହିଛି । ତେବେ ଏସମ୍ପର୍କରେ ପରିବାର ଏବଂ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
previous post