ଉଦଳା: ଭିଜିଲାନ୍ସ ଜାଲରେ ପରେଷ୍ଟର । ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ କପ୍ତିପଦା ଫରେଷ୍ଟର ଶୋଭାକର ସିଂ ଧରା ପଡିଥିବା ବେଳେ କିନ୍ତୁ ଲାଞ୍ଚ ଟଙ୍କା ଜବତ ହୋଇ ପାରି ନାହିଁ । ଯାହାକୁ ନେଇ ଭିଜିଲାନ୍ସ ଉପରେ ଅଙ୍ଗୁଳି ଉଠାଇଛନ୍ତି ସ୍ଥାନୀୟ ଲୋକେ ।
ସୂଚନା ଅନୁଯାୟୀ, କପ୍ତିପଦା ଫରେଷ୍ଟ ରେଞ୍ଜ ଅଧୀନରେ ୯ମାସ ତଳେ ହୋଇଥିବା ଏକ ମାମଲାରେ ଅଭିଯୁକ୍ତକୁ ଗିରଫ ନ କରିବା ପାଇଁ ଲାଞ୍ଚ ନେଉଥିଲେ ଫରେଷ୍ଟର । ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଜାଲରେ ଫସିଯାଇଥିଲେ ଫରେଷ୍ଟର । ଗତ ୨୦୧୯ ମଇ ମାସରେ କପ୍ତିପଦା ଫରେଷ୍ଟ ଅଧୀନ ଡାହିସାହି ଗ୍ରାମର ହେମନ୍ତ ବେହେରାଙ୍କ ଘରୁ କିଛି କାଠ ଜବତ କରିଥିଲା କପ୍ତିପଦା ଫରେଷ୍ଟ ବିଭାଗ । ଉକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ ନ କରିବା ସହିତ କେସର ରଫାଦଫା କରିବା ନିମନ୍ତେ ଫରେଷ୍ଟର ଶୋଭାକର ସିଂ ଅଭିଯୁକ୍ତ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଆଜି ଯୋଜନା ମୁତାବକ ଅଭିଯୁକ୍ତ ଜଣକ ଫରେଷ୍ଟରଙ୍କୁ ୫ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ ଛପି ରହିଥିବା ବାରିପଦା ଏବଂ ବାଲେଶ୍ୱରର ମିଳିତ ଭିଜିଲାନ୍ସ ଟିମ୍ ଜାଲରେ ଫସିଥିଲେ । ତେବେ ଭିଜିଲାନ୍ସ ଡିଏସପି ଟଙ୍କା ପାଇନଥିବା ସ୍ୱୀକାର କରିଥିବାବେଳେ ସ୍ଥାନୀୟ ବାସିନ୍ଦା ଏହି ଭିଜିଲାନ୍ସ ଚଢାଉକୁ ଉଦ୍ଦ୍ୟେଶମୂଳକ ଭାବେ କରାଯାଇଥିବା ଅଭିଯୋଗ କରିଛନ୍ତି । ଭିଜିଲାନ୍ସ ଅଭିଯୋଗକାରୀଙ୍କ ଅଭିଯୋଗକୁ ଏକତରଫା ଭାବେ ବିଚାରକୁ ନେଇ ଫରେଷ୍ଟରଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।