ଓଡିଶା

ମୁଖ୍ୟମନ୍ତ୍ରୀ- ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କିତ ଆଲୋଚନା

ଭୁବନେଶ୍ବର: ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରାଜ୍ୟରେ କରୋନା ସ୍ଥିତି ଏବଂ ରଥଯାତ୍ରା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । କରୋନାର ଭୟାବହତାକୁ ନେଇ ଗତମାସ ୨୨ ତାରିଖରୁ ଜନତା କର୍ଫ୍ୟୁରୁ ଆରମ୍ଭ ହୋଇଥିବା ଲକଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିବ । ଲକଡାଉନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ, ହନୁମାନ ଜୟନ୍ତୀ ମାଡ ଖାଇଛି । ଏପରି ସମୟରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ସନ୍ଦେହ ପ୍ରକାଶ ପାଉଛି । ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ଲକଡାଉନ ପୁଣି ନ ବଢିବ ତାହା କହି ହେଉନାହିଁ । ଏପରି ସମୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ ମଧ୍ୟ ସେ ସମ୍ପର୍କରେ ସୂଚନା ଦିଆଯାଇନାହିଁ ।

ସୂଚନାଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ କି ନାହିଁ, ସେ ନେଇ ଗତକାଲି ରାଜ୍ୟ ସରକାର ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଓ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ପ୍ରଥମେ ପୁରୀ ଯାଇ ଜଗଦ୍‌ଗୁରୁ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ଆଲୋଚନା କରିଥିଲେ। ରାତିରେ ମୁଖ୍ୟପ୍ରଶାସକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଢେର୍ ସମୟ ଧରି ଆଲୋଚନା ହୋଇଥିଲା। ତେବେ ଶଙ୍କରଚାର୍ୟ୍ୟ ଓ ଗଜପତିଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ ସରକାରୀ ଭାବେ କିଛି କୁହାଯାଇନାହିଁ।

Related posts

ଜନହିତରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ

mahabharatanews

ଝାଡ଼ଖଣ୍ଡ TET ସିଲାବସରେ ଓଡ଼ିଆ ଲିପିକୁ ଅବମାନନା

mahabharatanews

ଆଜି ନୀଳାଦ୍ରିବିଜେ , ଅପରାହ୍ଣ ୪ଟାରେ ପହଣ୍ଡି 

mahabharatanews