(ମହାଭାରତ, ରାଉରକେଲା): ରାଉରକେଲା ସହରରେ ଗତ କିଛି ଦିନ ଧରି କୁକୁର ଆତଙ୍କ ଦେଖାଦେଇଛି । ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ଲୋକେ ଏଠାରେ ବୁଲା କୁକୁର କାମୁଡାର ଶିକାର ହୋଇଛନ୍ତି । ସହରର ବିଶେଷ କରି ଇନ୍ଦିରା ଗାନ୍ଧି ପାର୍କ, ସେକ୍ଟର ୬ ଓ ୮, କୋଏଲନଗର, ଝିରିପାଣି, ଜଗଦା, ମାଲଗୋଦାମ, ମଧୁସୂଦନ ପାଲି, ନାଲା ରୋଡ ଆଦି ଅଞ୍ଚଳରେ କୁକୁର କାମୁଡା ଲୋକଙ୍କ ସଂଖ୍ୟା ବଢି ଚାଲିଛି । ତେବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କିମ୍ବା ରାଉରକେଲା ମହାନଗର ନିଗମ ଏହି ବୁଲା କୁକୁରଙ୍କୁ ଧରିବା ପାଇଁ ବିଶେଷ ଧ୍ୟାନ ଦେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଗତ ମାସ ବୁଲା କୁକୁର କାମୁଡାରେ ୧୦୦ରୁ ଉଦ୍ଧ୍ୱର୍ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ମାସ ଏପରି ପରିସ୍ଥିତି ସୃଷ୍ଟି ହେବାରୁ ଏହା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । କୁକୁର କାମୁଡା ଇଞ୍ଜେକସନ ନେବାକୁ ସରକାରୀ ଡାକ୍ତରଖାନାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ତେବେ ବୁଲା କୁକୁରଙ୍କୁ ଧରିବା ପାଇଁ ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ ମଙ୍ଗଳବାର ରାଉରକେଲା ବିଧାୟକ ସାରଦା ପ୍ରସାଦ ନାଏକ ସରକାରୀ ହସ୍ପିଟାଲରେ ପହଞ୍ଚି ବୁଲା କୁକୁର କାମୁଡା ଲୋକଙ୍କ ଚିକିତ୍ସା ସହ କୁକୁର ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ଭାବେ ରାଉରକେଲାରେ ବୁଲା କୁକୁରଙ୍କ କାମୁଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସେମାନଙ୍କୁ ନିୟନ୍ତ୍ରଣ କରିବାରେ କର୍ତ୍ତୃପକ୍ଷଙ୍କ ବିଫଳତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଭରିଦେଇଛି ।
previous post