(ନୂଆଦିଲ୍ଲୀ): ଦିଲ୍ଲୀକ୍ସ ଶାହୀନବାଗରେ ସିଏଏ ବିରୋଧୀ ପ୍ରଦର୍ଶନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ରବିବାର ଜୋରଦାର ହଙ୍ଗାମା ହୋଇଛି । ଶାହିନବାଗ ବିକ୍ଷୋଭକାରୀଙ୍କୁ ହଟାଇ ରାସ୍ତା ଫାଙ୍କା କରିବା ପାଇଁ ସ୍ଥାନୀୟ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଇତି ମଧ୍ୟରେ ପ୍ରଦର୍ଶନକାରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଆନ୍ଦୋଳନକାରୀମାନେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତ୍ୱ ପଞ୍ଜିକରଣ (ଏନଆରସି)କୁ ବିରୋଧ କରି ଦୀର୍ଘ ୫୦ ଦିନ ଧରି ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ବେଳେ ରାସ୍ତା ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକମାନେ ଯିବା ଆସିବାରେ ହଇରାଣ ହେଉଛନ୍ତି । ତେଣୁ ଆନ୍ଦୋଳନକାରୀଙ୍କୁ ହଟାଇ ରାସ୍ତା ଖାଲି କରିବାକୁ ଯାଇ ସ୍ଥାନୀୟ ଲୋକେ ଏଭଳି କରିଛନ୍ତି । ଶାହିନବାଗରେ ବନ୍ଦ ଥିବା ରାସ୍ତାକୁ ଖୋଲିବା ପାଇଁ ହିନ୍ଦୁ ସେନା ସହିତ ଆଖପାଖ କେତୋଟି ଗାଁର ଲୋକ ଏକାଠି ହୋଇଛନ୍ତି । ଏହି ସମୟରେ ଉପୁଜିଥିବା ବିବାଦକୁ ଦେଖି ପୋଲିସ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀମାନେ ନିଜକୁ ସ୍ଥାନୀୟ ଲୋକ ବୋଲି କହୁଥିବା ବେଳେ ସେମାନଙ୍କ ମଧ୍ୟରେ ବିଭିନ୍ନ ବଜରଙ୍ଗ ଆଖଡା ସମିତି, ଗୋ ରକ୍ଷା ଓ ବଜରଙ୍ଗ ଦଳ ସଦସ୍ୟ ସାମିଲ ଥିବା ଜଣାଯାଇଛି । ତେବେ ଏମାନଙ୍କ ଆନ୍ଦୋଳନକୁ ସ୍ଥାନୀୟ ଲୋକେ ବିରୋଧ କରୁ ନଥିଲେ ମଧ୍ୟ ରାସ୍ତାରୁ ହଟି ଅନ୍ୟ ସ୍ଥାନରେ ଆନ୍ଦୋଳନ କରିବାକୁ ସେମାନେ ନିବେଦନ କରୁଛନଚତି । ଏହି ଆନ୍ଦୋଳନ କିନ୍ତୁ ସିଏଏ ବିରୋଧୀ ଆନ୍ଦୋଳନ ଠାରୁ ୩୦୦ ମିଟର ଦୂରରେ ହେଉଥିବା ଜଣାପଡିଛି ।
previous post
next post