(କୋଲକାତା): ପଶ୍ଚିମବଙ୍ଗ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ଜଣେ ମହିଳା ମହିଳା ଶିକ୍ଷୟିତ୍ରୀ ଓ ତାଙ୍କ ଭଉଣୀଙ୍କୁ କ୍ଷମତାରେ ଥିବା ଟିଏମସି ନେତା ବାନ୍ଧି ମାଡ ମାରିବା ଘଟଣା ସାମ୍ନାକୁ ଆସିଛି । ତୃଣମୂଳ କଂଗ୍ରେସ ନେତା ଅମଲ ସରକାର ଏବଂ ତାଙ୍କ ସହଯୋଗୀ ମହିଳା ଦ୍ୱୟଙ୍କୁ ତଳେ ପକାଇ ବେକରେ ଦଉଡି ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଟିଏମସି ନେତାଙ୍କ କାରନାମାକୁ ସମାଲୋଚନା କରାଯାଇଛି । ଏହାପରେ ଭାବମୂର୍ତ୍ତିକୁ ସଜାଡିବାକୁ ଯାଇ ରବିବାର ଟିଏମସି ନେତା ଅମଲ ସରକାରଙ୍କୁ ଦଳ ନିଲମ୍ବନ କରିଛି । ଅମଲ ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ସ୍ମୃତି ଦାସ ଓ ପେଶାରେ ସେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ଶିକ୍ଷୟିତ୍ରୀଙ୍କ ଘର ସାମ୍ନାରେ ୧୨ ଫୁଟ ଓସାରର ରାସ୍ତା ତିଆରି ହେବ ବୋଲି ଗ୍ରାମ ପଞ୍ଚାୟତ ଜଣାଇଥିଲା । କିନ୍ତୁ ରାସ୍ତା ନିର୍ମାଣ ବେଳେ ୨୪ ଫୁଟର ରାସ୍ତା ପାଇଁ କାମ ଆରମ୍ଭ ହୋଇଥିଲା । ଏଥିରେ ନିଜର ଜାଗା ଯାଉଥିବା ଦେଖି ସେ ପ୍ରତିବାଦ କରିଥିଲେ । ଏଥିରେ ଟିଏମସି ନେତା ଅମଳ ସରକାରଙ୍କ ଗୁଣ୍ଡାମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଧକ୍କା ମାରିବା ସହ ଦଉଡିରେ ବାନ୍ଧି ଘୋଷାଡି ନେଇ ଏକ ଘରେ ବନ୍ଦ କରି ଦେଇଥିଲେ । ଏହାକୁ ଶିକ୍ଷୟିତ୍ରୀଙ୍କ ବଡ ଭଉଣୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅମଳ ଧକ୍କା ଦେଇ ତଳେ ପକାଇ ପିିଟିଥିଲେ । ଉଭୟ ଆହତ ହେବା ପରେ ତାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶନିବାର ଶିକ୍ଷୟିତ୍ରୀ ଏନେଇ ଥାନାରେ ଏତଲା ଦେଇଥିଲେ ।