(ନୂଆଦିଲ୍ଲୀ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ନାନକପୁରାରେ ଥିବା ଏକ ସରକାରୀ ସ୍କୁଲ ଯାଇଛନ୍ତି । ସେଠାରେ ଆୟୋଜିତ ହାପିନେସ କ୍ଲାସନରେ ସେ ଯୋଗ ଦେଇଛନ୍ତି । ପ୍ରଥମେ ସ୍କୁଲ ଛାତ୍ରଛାତ୍ରୀମାନେ ତାଙ୍କୁ ଟୀକା ଲଗାଇ ଆଳତି କରି ସ୍କୁଲ ଭିତରକୁ ସ୍ୱାଗତ ଜଣାଇଥିଲେ । ଧଳା ରଙ୍ଗର ଏକ ପ୍ରିଣ୍ଟେଡ ଡ୍ରେସ ପିନ୍ଧିଥିବା ମେଲାନିଆ ସେଠାରେ ସ୍କୁଲ ପିଲାଙ୍କ ସହ ୧୫ରୁ ୨୦ ମିନିଟ୍ ସମୟ ଧରି କଥାବାର୍ତ୍ତା ହୋଇଥିଲେ । ମେଲାନିଆଙ୍କ ଗସ୍ତ ପାଇଁ ସ୍କୁଲକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିବା ଦେଖିବାକୁ ମିଳିଥିଲା । ସ୍କୁଲ ପିଲାମାନେ ଧଳା ରଙ୍ଗର ଶାଢୀ ଓ ପାରମ୍ପରିକ ଘାଘରା ଚୋଲି ପିନ୍ଧି ଆମେରିକାର ପ୍ରଥମ ମହିଳାଙ୍କୁ ସ୍ୱାଗତ ଜଣାଇଥିଲେ । ନାନକପୁରାରେ ଥିବା ସର୍ବୋଦୟ ସିନିଅର ସେକେଣ୍ଡାରୀ ସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଲାନିଆ ସ୍କୁଲ ପିଲାମାନଙ୍କ ସହ ସମୟ ବିତାଇଥିଲେ । ସ୍କୁଲ ପିଲାମାନେ ନିଜ ହାତ ତିଆରି କିଛି ମଧୁବନି ପେଣ୍ଟିଂ ତାଙ୍କୁ ଉପହାର ଦେଇଥିଲେ । ଏହାକୁ ଖୁସିର ସହ ଆମେରିକାର ପ୍ରଥମ ମହିଳା ସ୍ୱୀକାର କରିବା ସହ ସେମାନଙ୍କୁ ଆଲିଙ୍ଗନ କରିଥିଲେ ।
ତେବେ ଦିଲ୍ଲୀର ବିଭିନ୍ନ ସ୍କୁଲରେ ସ୍ୱତନ୍ତ୍ର କ୍ଲାସର ଆୟୋଜନ କରାଯାଇ ଏହାକୁ ‘ହାପିନେସ କ୍ଲାସ’ର ନାମ ଦିଆଯାଉଛି । ଦିଲ୍ଲୀ ସରକାର ୨୦୧୮ ମସିହାରେ ଏଭଳି କ୍ଲାସ ଆରମ୍ଭ କରିଛନ୍ତି । ଏଥିରେ ଯୋଗ, ପଥପ୍ରାନ୍ତ ନାଟକ ଏବଂ ଆଜ୍ଞାଧୀନ ରହି କିଭଳି ଛାତ୍ରଛାତ୍ରୀମାନେ ଚିନ୍ତାମୁକ୍ତ ଜୀବନ ବଞ୍ଚିବା ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥାଏ । ତେବେ ଚଳିତ ଥର ଆମେରିକାର ପ୍ରଥମ ମହିଳା ଏହି ହାପିନେସ କ୍ଲାସରେ ଯୋଗ ଦେଇଛନ୍ତି । ଏଠାରେ ନାନକପୁରାର ସର୍ବୋଦୟ ସିନିୟର ସେକେଣ୍ଡାରୀ ସ୍କୁଲରେ ପହଞ୍ଚି ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ସେ ସମୟ ବିତାଇଛନ୍ତି । ତେବେ ଆମେରିକାର ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ ଗସ୍ତ ବେଳେ ଅତି କମ୍ ସମୟ ମଧ୍ୟରେ ଏହି ହାପିନେସ କ୍ଲାସର ଆୟୋଜନ ହୋଇପାରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଆମେରିକାର ପ୍ରଥମ ମହିଳା ସ୍କୁଲ ଆସି ହାପିନେଓ କ୍ଲାସରେ ଯୋଗ ଦେବା ସୌଭାଗ୍ୟର କଥା । ଏଥିପାଇଁ ଖୁବ କମ ସମୟ ମଧ୍ୟରେ ସମସ୍ତ ପ୍ରସ୍ତୁତି ସାରିବାକୁ ପଡିଛି । ଧାର୍ଯ୍ୟ ସମୟ ମଧ୍ୟରେ ସ୍କୁଲ ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯାଇପାରିଛି ବୋଲି ବସନ୍ତ ବିହାର କାଉନସିଲର ମନିଶ ଅଗ୍ରୱାଲ କହିଛନ୍ତି ।
ପୂର୍ବରୁ ମେଲାନିଆଙ୍କ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ପରେ ସେମାନେ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ତେବେ ମେଲାନିଆଙ୍କ ଏହି ସ୍ୱଳ୍ପ ସମୟର ସ୍କୁଲ ଗସ୍ତ ପାଇଁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା । ସ୍କୁଲ ପରିସର ପୋଲିସ ଛାଉଣୀରେ ପରିଣତ ହୋଇଥିଲା । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଶୃଙ୍ଖଳିତ ଗାଡି ଚାଳନା ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଥିଲା । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ସପରିବାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଫେବୃଆରୀ ୨୪ ତାରିଖରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଆଗ୍ରା ବୁଲି ତାଜମହଲ ଦେଖିଥିଲେ ।