ତିରୁବନନ୍ତପୁରମ: କେରଳର ଥ୍ରିସୁର ଓ କାନ୍ନୁର ଜିଲ୍ଲାରୁ ଆଉ ଦୁଇ ଜଣଙ୍କଠାରେ କୋରୋନା ଚିହ୍ନଟ ହେବା ପରେ ଏହି ସଂଖ୍ୟା ରାଜ୍ୟରେ ୧୭କୁ ଛୁଇଁଛି । ଏହି ଦୁଇ ଜଣ ନିକଟରେ ମଧ୍ୟ ପ୍ରଚ୍ୟ ରାଷ୍ଟ୍ରରୁ ଫେରିଥିଲେ । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏହି ସୂଚନା ଦେଇଛନ୍ତି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏକ ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି, ତିରୁବନନ୍ତପୁରମରେ ଆଉ ଜଣଙ୍କ କୋରୋନା ପରୀକ୍ଷଣ ପଜିଟିଭ ମିଳିଛି । ତେବେ ଉକ୍ତ ବ୍ୟକ୍ତିଙ୍କ ନମୁନା ପରବର୍ତ୍ତୀ ପରୀକ୍ଷା ପାଇଁ ପୁନେସ୍ଥିତ ଏନଆଇଭିକୁ ପଠାଇ ଦିଆଯାଇଛି ।
ଶୈଳଜା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି କି, ତିରୁବନନ୍ତପୁରମରେ ହୋଇଥିବା ଲ୍ୟାବ ପରୀକ୍ଷାରୁ ଜଣେ ବ୍ୟକ୍ତିଙ୍କ କୋରୋନା ସଂକ୍ରମଣ ପଜିଟିଭ ଆସିଛି । ଏହାକୁ ସ୍ପଷ୍ଟ କରିବାକୁ ବ୍ୟକ୍ତିଙ୍କ ସ୍ୱାବ ନମୁନା ପୁନେସ୍ଥିତ ନାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀକୁ ପଠାଇ ଦିଆଯାଇଛି । ଉକ୍ତ ସଂକ୍ରମିତଙ୍କୁ ତିରୁବନନ୍ତପୁରମ ମେଡିକାଲ ଜଲେଜରେ ଚିକିତ୍ସା କରାଯାଉଛି । ତିରୁବନନ୍ତପୁରମ ଜିଲ୍ଲାପାଳ କେ ଗୋପପାଳକ୍ରିଷ୍ଣନ ଆଜି ସୂଚନା ଦେଇଛନ୍ତି କି, ତିରୁବନନ୍ତପୁରମରେ ଜଣେ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ପଜିଟିଭ ଆସିବା ପରେ ସରକାର ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି । ତେବେ ଏହାକୁ ସ୍ପଷ୍ଟ କରିବାକୁ ରୋଗୀର ନମୁନା ପୁନେ ପଠାଇ ଦିଆଯାଇଛି । ଉକ୍ତ ବ୍ୟକ୍ତି ନିକଟ ଅତୀତରେ ଜର୍ମାନ ଗସ୍ତ କରିଥିଲେ । ସେ ଦୋହା -ତିରୁବନନ୍ତପୁରମ ବିମାନରେ ଯାତ୍ରା କରିଥିଲେ । ଏହି ବିମାନରେ ୯୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଯାତ୍ରୀଙ୍କ ସଂକ୍ରମଣ ହେବା ଆଶାଙ୍କା ଅଧିକ ରହିଥିବାରୁ ସେମାନଙ୍କୁ ଅଲଗା ରଖାଯାଇ ନିରୀକ୍ଷଣ କରାଯାଉଛି ବୋଳି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳ ଆହୁରି କହିଛନ୍ତି, ଯାତ୍ରା କାଳରେ ଉକ୍ତ ଯାତ୍ରୀ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ ଓ ମାସ୍କ ବ୍ୟବହାର କରିଥିଲେ ।
ଏହି ସଂକ୍ରମଣ କେରଳରେ ସର୍ବାଧିକ ରହିଥିବାରୁ କେରଳ ସରକାର ପକ୍ଷରୁ ଏକ କୋରୋନା ସଚେତନତା ସୃଷ୍ଟି ପାଇଁ ଏକ ଆପର ଆରମ୍ଭ କରାଯାଇଚି । ଏହି ଆପ ମାଧ୍ୟମରେ ସଠିକ ସୂଚନା ପ୍ରଦାନ କରାଯିବ ଓ ଏହା ପ୍ଲେ ଷ୍ଟୋରରୁ ଡାଉନଲୋଡ ହେବ । କୋରୋନାକୁ ନେଇ ଅନେକ ବିଭ୍ରାନ୍ତିକର ଅପପ୍ରଚାର ଚାଲିଥିବାରୁ କେରଳ ସରକାର ଏହି ଆପ ମାଧ୍ୟମରେ ରାଜ୍ୟରେ ସଚେତନତା ସୃଷ୍ଟି କରିବାର ପଦକ୍ଷେପ ନେଉଛି ।
