(ମହାଭାରତ, ନୂଆଦିଲ୍ଲୀ): ପାକିସ୍ତାନର କର୍ତ୍ତାରପୁର ସାହିବ ଗୁରୁଦ୍ୱାର ତୀର୍ଥଯାତ୍ରା ଏବଂ ପଞ୍ଜିକରଣ ରବିବାର ମଧ୍ୟରାତ୍ରିରୁ ବନ୍ଦ ରହିବ । କୋରୋନା ଭାଇରସର ପ୍ରକୋପ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟି, କେନ୍ଦ୍ର ସରକାର ରବିବାର ମଧ୍ୟରାତ୍ରିରୁ ଭାରତ-ପାକିସ୍ତାନ ସୀମା ସିଲ୍ କରିବା ସହ କର୍ତ୍ତାରପୁର ମଧ୍ୟରେ ସମସ୍ତ ଯାତ୍ରୀଙ୍କ ଚଳପ୍ରଚଳ ଉପରେ କଟକଣା ଲଗାଇଛନ୍ତି । କୋଭିଡ୍-୧୯ ଭାରତରେ ବ୍ୟାପିବାରେ ଲାଗିଥିବାରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୁପ ଏବଂ ଏହି ରୋଗ ଉପରେ କଟକଣା ଲଗାଇବା ପାଇଁ କର୍ତ୍ତାରପୁର ସାହିବ ଯାତ୍ରା ଏବଂ ପଞ୍ଜିକରଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଆଗାମୀ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏ ଏହି ନିର୍ଦ୍ଦେଶ କାଏମ ରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ଶନିବାର କେନ୍ଦ୍ର ସରକାର ଭାରତର ସୀମା ସଂଲଗ୍ନ ଅଞ୍ଚଳଗୁଡିକୁ ସିଲ କରିଥିଲେ । ଫଳରେ ବାଂଲାଦେଶ, ନେପାଳ, ଭୁଟାନ ମିଆଁମାର ଆଦି ଚେକ୍ ପଏଣ୍ଟରେ ଯାତ୍ରୀଙ୍କ ଯିବା ଆସିବା ବନ୍ଦ ରହିଥିଲା । ତେବେ କୋରୋନା ଭାଇରସ ପ୍ରଭାବରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଡେରା ବାବା ନାନକ ଠାରୁ ପାକିସ୍ତାନର କର୍ତ୍ତାରପୁର ସାହିବକୁ ଯୋଗ କରୁଥିବା କରିଡରର ଉଦଘାଟନ କରିଥିଲେ ।
previous post