Uncategorized

ଇଟାଲୀରେ କୋରୋନା ମୃତକଙ୍କ ସଂଖ୍ୟା ୬୦୦ ଟପିଲା

(ରୋମ): ଚୀନ ପରେ ଇଟାଲୀରେ ଏବେ କୋରୋନା ଭାଇରସ ଆତଙ୍କ ଖେଳାଇଛି । ଏହି ଭୟଙ୍କର ଭୂତାଣୁ ଏବେ ଯାଏ ଏଠାରେ ୬୩୧ ଜଣଙ୍କର ଜୀବନ ନେଇ ସାରିଲାଣି । ସେହିପରି ପ୍ରାୟ ୧୦ ହଜାରରୁ ଅଧିକ ଲୋକେ ଏହି ଭାଇରସ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ୧୦୦୪ ଜଣ ଚିକିତ୍ସା ପରେ ଏଯାଏ ସୁସ୍ଥ ହୋଇଛନ୍ତି । ଏନେଇ ଇଟାଲୀ ସରକାର ଏକ ବିବୃତ୍ତି ଜାରି କରିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣାଧିନ କରିବାକୁ ଯାଇ ଇଟାଲୀ ସରକାର ଦେଶରେ କଟକଣା ଲଗାଇଛନ୍ତି । ସର୍ବସାଧାରଣ ସମାବେଶ, ବିବାହ, ସମାରୋହ, ସିନେମା ହଲ୍, ଜିମ୍ ଓ ପବ୍ ହାଉସ ଗୁଡିକ ଉପରେ ନିଷେଧାଦେଶ ଜାରି କରାଯାଇଛି । ଏହି ନିଷେଧାଦେଶ ଅନୁଯାୟୀ, ସରକାରଙ୍କ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ କେନ୍ଦ୍ର ବନ୍ଦ ରହିବ । ଏହାଛଡା ସ୍କୁଲ, କଲେଜ ଏବଂ ୟୁନିଭର୍ସିଟି ଗୁଡିକ ଏପ୍ରିଲ ୩ ଯାଏ ବନ୍ଦ ରହିବ । ଦେଶ ମଧ୍ୟରେ ବିମାନ ଚଳାଚଳକୁ ମଧ୍ୟ ନିଷିଦ୍ଧ କରାଯାଇଛି । ତେବେ ବିମାନ ଯାତ୍ରା ନେଇ ଏପ୍ରିଲ ୮ରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଘରୋଇ ବିମାନ ବନ୍ଦ କରିବାକୁ ନେଇ ମଙ୍ଗଳବାର ରାତିରେ ନିଷ୍ପତ୍ତି ନିଆଯାଇଥିବା ବେଳେ ମାର୍ଚ୍ଚ ୧୩ ପରେ କୌଣସି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ ନାହିଁ ।

ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି କୋରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପିଛି । ସମଗ୍ର ବିଶ୍ୱରେ ଏଯାଏ ୪ ହଜାର ୨୯୫ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୧ ଲକ୍ଷ ୧୯ ହଜାର ୧୭୯ ଜଣ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଏହି ଭାଇରସ ଏବେ ଇଟାଲୀ ସମେତ ସ୍ପେନ, ଫ୍ରାନ୍ସ, ସାଉଥ କୋରିଆ, ଜାପାନ, ଆମେରିକା, ବ୍ରିଟେନ୍, ଭାରତ ଆଦି ୯୪ଟି ଦେଶକୁ ବ୍ୟାପିଛି । ବ୍ରିଟେନରେ କୋରୋନା ସଂକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାରତରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି ।

Related posts

ଭେନେଜୁଏଲା ଛାପିବ ବିଶ୍ୱର ସବୁଠୁ ବଡ ମୂଲ୍ୟ ବର୍ଗର ନୋଟ 

mahabharatanews

ଧାରା ୩୭୦ରେ ପଛଘୁଞ୍ଚା ନାହିଁ

mahabharatanews

 କରୋନା:  ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

mahabharatanews