(ନୂଆଦିଲ୍ଲୀ): ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନଗାରଙ୍କୁ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ଉକ୍ତ ମାମଲାର ସମସ୍ତ ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୪ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଶୁଣାଣି କରି ଏମାନଙ୍କ ଦଣ୍ଡାଦେଶକୁ ସଂରକ୍ଷିତ ରଖିଥିଲେ । ଆଜି ଏହାର ରାୟ ଶୁଣାଇଛନ୍ତି । ମାମଲାରେ ସମ୍ପୃକ୍ତି ଥିବା ସେନଗାରଙ୍କ ଭାଇ ଅତୁଲ ସେନଗାରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯିବା ସହ ଉଭୟ ୧୦ ଲକ୍ଷ ଟଙ୍କା ଦେବାକୁ କୋର୍ଟ ରାୟ ଦେଇଛନ୍ତି ।
ଦିଲ୍ଲୀ କୋର୍ଟ ଦ୍ୱିତୀୟ ଥର ପାଇଁ ସେନଗାରଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି । ପୂର୍ବରୁ ଦୁଷ୍କର୍ମ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ନେଇ ତାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଏହି ପୂର୍ବତନ ବିଜେପି ବିଧାୟକଙ୍କ ସମେତ ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୮ ଏପ୍ରିଲରେ ଉନ୍ନାଓ ପୀଡିତାଙ୍କ ବାପା ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ମାଡ଼ ମରାଯିବା ସହ ଏକ ମାମଲାରେ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନେଇ ପଚରାଉଚରା କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଚଳିତମାସ ୪ ତାରିଖରେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି କୁଲଦୀପ ସେନଗାରଙ୍କୁ ଏହି ହତ୍ୟା ମାମଲାର ଦୋଷୀ ସାବ୍ୟସ୍ତ କରିଥିଲେ । ପୂର୍ବରୁ ଏହି ମାମଲାରେ ଛନ୍ଦି ହୋଇଥିବା ଜଣେ କନେଷ୍ଟବଲଙ୍କୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଥିଲେ ।
ତେବେ ଏହି ମାମଲାରେ ନ୍ୟାୟ ପାଇଁ ଜଣେ କ୍ଷମତାଶାଳୀ ବ୍ୟକ୍ତି ବିରୋଧରେ ପୀଡିତା ଲଢୁଥିବାରୁ କୋର୍ଟ ତାଙ୍କୁ ପ୍ରଶଂସା କରିଥିଲେ । ଏଥିସହ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ସେନଗାର ପୀଡିତାଙ୍କ ବାପାଙ୍କ ନାଁରେ ମିଛ ମାମଲା ରୁଜୁ କରି ତାଙ୍କୁ ଫସାଇଥିଲେ ବୋଲି କୋର୍ଟ କହିଥିଲେ । ପୀଡିତା ଜଣକ ଏନେଇ ଥାନାରେ ଏତଲା ଦେବା ପରେ ଏହି ପୂର୍ବତନ ବାହୁବଳୀ ବିଧାୟକଙ୍କୁ ପୋଲିସ ଗିରପ କରିନଥିବାରୁ କୋର୍ଟ ଯୋଗୀ ସରକାରଙ୍କୁ ଏଥିପାଇଁ ତାଗିଦ କରିଥିଲେ । ସୂଚନାଯୋଗ୍ୟ, ସେନଗାର ଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଥିବା ଜଣାପଡିବା ପରେ ୨୦୧୯ରେ ତାଙ୍କୁ ବିଜେପିରୁ ବହିଷ୍କୃତ କରାଯାଇଥିଲା ।