(ବେଙ୍ଗାଲୁରୁ): ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଏବେ ସୁରକ୍ଷା ଚିନ୍ତା ଘାରିଛି । ବେଙ୍ଗାଲୁରୁରେ ଏକାଠି ହୋଇଥିବା ଏହି ଇସ୍ତଫା ଦେଇଥିବା ବିଧାୟକମାନେ ସେମାନଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେମାନଙ୍କ ଉପରେ କମଲନାଥ ସରକାର ଆକ୍ରମଣ ପାଇଁ ଚେଷ୍ଟା କରି ପାରନ୍ତି । ଏଣୁ ସେମାନଙ୍କ ସୁରକ୍ଷା ଆବଶ୍ୟକ ବୋଲି କଂଗ୍ରେସ ଛାଡିଥିବା ଏହି ବିଧାୟକମାନେ କହିଛନ୍ତି । ସେମାନଙ୍କ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରତି ସେମାନଙ୍କର ଦୃଢ ସମର୍ଥନ ରହିଥିବା ସେମାନେ କହିଛନ୍ତି । ସେପଟେ ଆସ୍ଥା ଭୋଟ୍ ଏବେ ଘୁଞ୍ଚି ଯାଇଥିବାରୁ ଏଭଳି ସମୟରେ କଂଗ୍ରେସ ଛାଡିଥିବା ଏହି ବିଧାୟକମାନେ ସାମ୍ବାଦିକ ସମ୍ମିଳନୀ କରି ନିଜର ସୁରକ୍ଷା କଥା ଉଠାଇଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଛୁ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ସୁରକ୍ଷା ଆବଶ୍ୟକ କରୁଛୁ ବୋଲି ଦଳ ଛାଡିଥିବା ବିଧାୟକ ଗୋବିନ୍ଦ ସିଂହ ରାଜପୁତ କହିଛନ୍ତି । ସେହିପରି ସେମାନଙ୍କ ନେତାଙ୍କ ପ୍ରତି ଆନୁଗତ୍ୟ ଦର୍ଶାଇ କଂଗ୍ରେସ ବିଧାୟକ ଇମର୍ତ୍ତୀ ଦେବୀ କହିଛନ୍ତି, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମ ନେତା । ସେ ଆମକୁ ବହୁତ କିଛି ଶିଖାଇଛନ୍ତି । ତାଙ୍କ ସହ ଗତ ୨୦ ବର୍ଷ ଧରି କାମ କରୁଛୁ । ସବୁବେଳେ ତାଙ୍କ ସହିତ ରହିବୁ । ସେ କୂଅକୁ ଡେଇଁବାକୁ କହିଲେ ମଧ୍ୟ ଡେଇଁବି ।
next post
