ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନାହିଁ । କିନ୍ତୁ ବିଭିନ୍ନ ଦେଶରେ କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଚିକିତ୍ସା କାଳରେ ଦିଆଯାଉଛି । ତେବେ ଏହାର ସେବନ ଦ୍ୱାରା କରୋନା ଚିକିତ୍ସାରେ ସେପରି କୌଣସି ଉପକାର ମିଳୁନାହିଁ । ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି ଦି ଲାନସେଟରେ । ପ୍ରାୟ ୧୫୦୦୦ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ପ୍ରୟୋଗ କରାଯାଇ ଅନୁଧ୍ୟାନରୁ ରିପୋର୍ଟ ପ୍ରସ୍ତୁତ ହୋଇଛି ।
ଅଧ୍ୟୟନରୁ ଜଣାପଡିଛି, ସେମାନଙ୍କ ହୃଦଗତିରେ ଅସ୍ୱାଭାବିକତା ଦେଖାଦେଇଥିଲା । ମାନବ ଶରୀର ଉପରେ ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି ହେଉ ଥିବାରୁ ଏହାକୁ ଡାକ୍ତରଙ୍କ ବିନା ପରାମର୍ଶରେ ନେବା ବିପଦଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଔଷଧ ଦ୍ୱାରା ରୋଗୀଙ୍କଠାରେ ଗୁରୁତର ହୃଦୟ ସମସ୍ୟା ଓ ଏପରିକି ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ଗବେଷକମାନେ ସତର୍କ କରାଇଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଦୁଇ ମାସରେ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଭାତର ଯୋଗାଇ ଦେଇଛି । କରୋନାର ଚିକିତ୍ସା ପାଇଁ ଏସବୁ ଔଷଧ ଗୁଡ଼ିକ ଉପଯୋଗୀ ହେଉଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢିଯାଇଛି। ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ।
previous post
