ଓଡିଶା

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୨ ନାବାଳକ

(ମହାଭାରତ, ଜୟପୁର): କଥାରେ ଅଛି ଭଗବାନ କେବେ କେଉଁ ରୂପରେ ଆସିଥାନ୍ତି । କୋରାପୁଟ ଜୟପୁର ସହରର ଦୁଇ ନାବାଳକ ଜୀବନକୁ ବାଜି ଲଗାଇ ଏଠାରେ ଜଣେ ବ୍ୟକ୍ତି କେନାଲରେ ଭାସି ଯାଉଥିବା ବେଳେ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ଜୟପୁର ମୁଖ୍ୟ କେନାଲ ପାଶ୍ୱର୍ ରାସ୍ତାରେ ରଜାନହର ନିକଟରେ ବାଲାଜୀ ସାହୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହଠାତ୍ ତାଙ୍କ ମୁଣ୍ଡ ବୁଲାଇବାରୁ ସେ କେନାଲ ପାଶ୍ୱର୍ରେ ଥିବା ପିଣ୍ଡାରେ କିଛି କ୍ଷଣ ବସିପଡିଥିଲେ । ପରେ ସେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲେ । ସେହି ସମୟରେ ଡଙ୍ଗାବୁଡା ଅଞ୍ଚଳର ଦୁଇ ନାବାଳକ ସଞ୍ଜୟ ପୂଜାରୀ ଓ କିଷାନ ମାଝି ଉକ୍ତ ରାସ୍ତା ଦେଇ ଯାଉଥିଲେ । ସେମାନେ ଉକ୍ତ ବ୍ୟକ୍ତିଙ୍କୁ କେନାଲରେ ଭାସୁଥିବା ଦେଖି କିଛି ନ ଭାବି ପିନ୍ଧିଥିବା ବସ୍ତ୍ର କାଢି ଦେଇ କେନାଲକୁ ଡେଇଁ ପଡିଥିଲେ ।

କେନାଲର ପ୍ରଖର ପାଣିରେ ଭାସୁଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି କେନାଲ ଉପରକୁ ଆଣିଥିଲେ । ପରେ ତାଙ୍କ ପେଟ ଚିପି ପାଣି ବାହାର କରି ତାଙ୍କ ଜୀବନ ବଞ୍ଚାଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ସେଠାରେ ଜମା ହୋଇ ସାହାଯ୍ୟ କରିଥିବା ବେଳେ ଜୟପୁର ଟାଉନ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଘରେ ପହଞ୍ଚାଇଥିଲେ । ତେବେ ଉକ୍ତ ୨ ସାହାସୀ ନାବାଳକଙ୍କୁ ତାଙ୍କ ସାହସିକତା ପାଇଁ ଜୟପୁର ଟାଉନ ଥାନା ପକ୍ଷରୁ ସମ୍ମାନିତ କରାଯାଇଛି । ଏଭଳି ସାହସିକତା ଦେଖାଇ ସେମାନେ ଇତିହାସ ରଚିଥିବା ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି କହିଛନ୍ତି । ଏହି ଘଟଣା ପରେ ଏହି ଦୁଇ ନାବାଳକ ସଞ୍ଜୟ ପୁଜାରୀ ଓ କୀଷାନ ମାଝିଙ୍କ ପାଖକୁ ଜୟପୁରବାସୀଙ୍କ ପ୍ରଶଂସାର ସୁଅ ଛୁଟୁଛି ।

Related posts

ଟ୍ରକ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

mahabharatanews

ନାବାଳକକୁ ରଡରେ କଲେ ଆକ୍ରମଣ

mahabharatanews

ଚଳଚ୍ଚିତ୍ର ‘ଯବାନ’ କ୍ରେଜ୍; ଆଜି ଭୁବନେଶ୍ୱରରେ ୯୦ଟି ସୋ 

mahabharatanews