(ରୋମ୍): ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ ଏଯାଏ ବିଶ୍ୱର ୧୨୧ଟି ଦେଶକୁ ବ୍ୟାପିଛି । ଏହି ଭାଇରସ ସାରା ବିଶ୍ୱରେ ଏଯାଏ ୫ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କ ଜୀବନ ନେଇସାରିଲାଣି । ଏଥିରେ ଏକ ଲକ୍ଷରର ଅଧିକ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ଏବେ ସ୍ଥିତି ସୁଧୁରୁଥିବା ବେଳେ ଇଟାଲୀ ଓ ଇରାନ ଭଳି ଦେଶରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇଟାଲୀରେ ଶୁକ୍ରବାର କୋରୋନା ସଂକ୍ରମଣରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୧୩ରେ ଏହା ଇଟାଲୀରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ମୃତ୍ୟୁସଂଖ୍ୟା । ଏହି ଦିନ ସାରା ବିଶ୍ୱରେ କରୋନାରେ ଆକ୍ରାନ୍ତ ଅନେକଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ଇଟାଲୀର ମୃତ୍ୟୁସଂଖ୍ୟା ସର୍ବାଧିକ ରହିଛି । ଏଯାଏ ଏଠାରେ କୋରୋନାରେ ୧୨୬୬ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୭ ହଜାରରୁ ଉଦ୍ଧ୍ୱର୍ ଚିକିତ୍ସାଧିନ ରହିଛନ୍ତି । ଯାହାକି ଇଟାଲୀ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଇଟାଲୀ ଭଳି ଫ୍ରାନ୍ସରେ ୨୪ ଘଣ୍ଟା ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଏବେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି । ଅନ୍ୟପଟେ ଚୀନରେ କୋରୋନାକୁ ମୃତ୍ୟୁସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି । ଏଯାବତ୍ ଚୀନରେ ୩୧୭୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ହଜାର ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି । କୋରୋନା ଜନିତ ମୃତ୍ୟୁସଂଖ୍ୟାର ରେକର୍ଡକୁ ଦେଖିଲେ ପ୍ରଥମେ ଚୀନ । ଦ୍ୱିତୀୟରେ ଇଟାଲୀ ଓ ତୃତୀୟରେ ଇରାନ ରହିଛି । ସେହିପରି ଦକ୍ଷିଣ କୋରିଆରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆମେରିକାରେ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏହି ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି । ଭାରତରେ ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟର ସରକାର ୩୧ ତାରିଖ ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛନ୍ତି ।