ଓଡିଶା

କୋରନା ପାଇଁ ବୁଡିବାକୁ ବସିଲାଣି ପାନ ଶିଳ୍ପ

(ଅଜିତ ସାହୁ/ ଜଳେଶ୍ୱର ): କୋରୋନା ଯେତିକି ଡରାଉଛି, ତାଠୁ ବେଶି କନ୍ଦାଉଛି। ଏହାର ସିଧା ସଳଖ ପ୍ରଭାବ ପଡିଛି ପାନ ଚାଷ ଓ ବ୍ୟବସାୟ ଉପରେ। ଚିନ୍ତାରେ ପାନ ଚାଷୀ, ପାନ ଦୋକାନୀ ଓ ପାନ ଵ୍ୟଵସାୟୀ। ପାନ ଉପରେ ନିର୍ଭର କରି ତେଲ ଲୁଣ ସଂସାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ସତେ ଯେମିତି କରୋନାର କଳା ନଜର ପଡିଯାଇଛି। ପାନ ଚାଷ ଓ ଉତ୍ପାଦନ, ବ୍ୟବସାୟ କ୍ଷେତ୍ରରେ ଉତ୍ତର ବାଲେଶ୍ୱରର ଭୋଗରାଇ ବାଲିଆପାଳ,ବସ୍ତା ଓ ଜଳେଶ୍ୱର ଆଦି ଅଞ୍ଚଳର ବେଶ ପରିଚିତ। ଏହି ଅଞ୍ଚଳରେ ବିଭିନ୍ନ କିସମର ପାନ ଚାଷ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ ବିକ୍ରି ହୋଇଥାଏ । ଏହି ଅଞ୍ଚଳରୁ ଦୈନିକ ହଜାର ହଜାର ଟନ ପାନ ରାଜ୍ୟ ବାହାରକୁ ରପ୍ତାନି ହୋଇଥାଏ। ପାନକୁ ସରକାରୀ ସ୍ତରରେ ଶିଳ୍ପର ମାନ୍ୟତା ମିଳିନଥିଲେ ବି ପାନ ଉପରେ ହଜାର ହଜାର ପରିବାର ଆତ୍ମ ନିର୍ଭରଶୀଳ ହେବା ସହିତ ସ୍ଥାନୀୟ ଅଞ୍ଚଳର ବେକାରୀ ସମସ୍ୟା ଦୂର କରି ରୋଜାଗାର ଯୋଗାଇ ଆସୁଥିଲା ପାନ। ତେବେ କୋରୋନା ମୁକାବିଲା ପାଇଁ ସାମାଜିକ ଦୂରତା ବଜାଇ ରଖିବା ପାଇଁ ସାରାଦେଶରେ ଜାରି ରହିଛି ଲକଡାଉନ। ସମସ୍ତ ଦୋକାନ ବଜାର ଗାଡ଼ି ମଟର ବନ୍ଦ ରହିଛି। ଯାହା ପାଇଁ ଉତ୍ପାଦିତ ପାନ ବାହାରକୁ ଯାଇ ନପାରି ନଷ୍ଟ ହେଉଛି । ଦୈନିକ କୋଟି କୋଟି ଟଙ୍କାର ପାନ ପଚି ସଡ଼ି ନଷ୍ଟ ହେଉଛି। କେବଳ ଜଳେଶ୍ୱର ସହରରେ ଏସ୍କେ ପାନ ଭଣ୍ଡାର, ଅଲ୍ଲୀ ବ୍ରଦର୍ସ ଭଳି ୧୭ ଟି ପାନ ଗୋଦାମ ରହିଛି। ବାଲେଶ୍ୱର ଜିଲ୍ଲାର ଛୋଟ ବଡ଼ ସମସ୍ତ ପାନ ଗୋଦାମ ବନ୍ଦ ହୋଇଯାଇଛି। ଅନ୍ୟ ପଟେ ପାନ ଶିଳ୍ପରେ ଜଡିତ ଥିବା ଚାଷୀ, ଦୋକାନୀ, ଵ୍ୟଵସାୟୀ ମାନେ ବ୍ୟାଙ୍କରୁ କରଜ କରି ମୁଣ୍ଡରେ ହାତ ଦେଇ ବସିଛନ୍ତି। କୋରନା ଓ ଲକ ଡାଉନ ବାଧକ ସାଜିଥିବା ଵେଳେ ଲଗାତାର କ୍ଷତି ସେମାନଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇବାରେ ମଧ୍ୟ ଅସମର୍ଥ ହୋଇପଡିଛନ୍ତି ମାଲିକ ମାନେ। ଅଭାବ ଅନାଟନ ସାଙ୍ଗକୁ ଚିନ୍ତା ରେ ଛଟପଟ ହୋଇ ସରକାରୀ ସହାୟତ ଯୋଗାଇ ଦେବାକୁ ଦାବି କରିଛନ୍ତି ପାନ ଚାଷୀ, ଦୋକାନୀ,ଓ ଵ୍ୟଵସାୟୀ। ତେବେ ସରକାର ସେମାନଙ୍କ ପାଇଁ କେବେ କି ପ୍ରକାର ପଦ କ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Related posts

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

mahabharatanews

ଜାତୀୟ ଭୋଟର ଦିବସ ପାଳିତ

mahabharatanews

କାଲିଠୁ ମାଟ୍ରିକ ପରୀକ୍ଷା

mahabharatanews