ଅହମଦାବାଦ: ରାଜସ୍ଥାନର କୋଟା ସରକାରୀ ହସ୍ପିଟାଲରେ ଶିଶୁ ମୃତ୍ୟୁ ସଂଖ୍ୟା ୧୦୦ ଟପିବା ପରେ ଏବେ ଗୁଜୁରାଟର ଏକ ସରକାରୀ ହସ୍ପିଟାଲର ରିପୋର୍ଟ ସାମ୍ନାକୁ ଆସିଛି । ଗତ ଡିସେମ୍ବର ମାସରେ ଅନ୍ୟୁନ ୮୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣେ ସରକାରୀ ଅଧିକାରୀ ରବିବାର ଦିନ ସୂଚନା ଦେଇଛନ୍ତି । ଅହମଦାବାଦ ସିଭିକ ହସ୍ପିଟାଲରେ ଡିସେମ୍ବରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ମୋଟ ଶିଶୁଙ୍କ ମଧ୍ୟରୁ ୧୮.୬୮% ଶିଶୁଙ୍କ ମୃତ୍ୟୁ ହୋଇଥିଲା ବୋଲି ଜି ଏସ ରାଥୋଡ, ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ।
ରାଥୋଡ ଆହୁରି କହିଛନ୍ତି, ଡିସେମ୍ବରରେ ନବଜନ୍ମିତ ଆଇସିୟୁରେ ୪୫୫ ଜଣ ନବଜାତକ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୮୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତ୍ୟୁ ସଂଖ୍ୟା ୨୦୧୮ ଠାରୁ ୬ ପ୍ରତିଶତ ହ୍ରାସ ପାଇଛି । ତେବେ ଏହି ହସ୍ପିଟାଲଯି ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ଗୁଜୁରାଟର ବିଭିନ୍ନ ଉପାନ୍ତ ଓ ଦୂରଦୂରାନ୍ତ ସ୍ଥାନରୁ ଅତ୍ୟଧିକ ସଂକ୍ରମଣ ସ୍ଥିତିରେ ଏଠାକୁ ଶିଶୁଙ୍କୁ ଚିକିତ୍ସା ପାଇଁ ଅଣାଯାଇଥାଏ । ତେଣୁ ବିଳମ୍ବ ଓ ଗମ୍ଭୀର ସ୍ଥିତି କାରଣରୁ ଏତେ ସଂଖ୍ୟାରେ ମୃତ୍ୟୁ ହେଉଥିବା ସେ ଦର୍ଶାଇଛନ୍ତି । ଏହା ସତ୍ତେ୍ୱ ଡାକ୍ତରଙ୍କ ତ୍ୱରିକ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା କାରଣରୁ ମୃତ୍ୟୁସଂଖ୍ୟା ୨୫ ପ୍ରତିଶତରୁ କମିଛି । ତେବେ ସମୟ ପୂର୍ବରୁ ଶିଶୁ ଜନ୍ମ ଶିଶୁ ମୃତ୍ୟୁର ଅନ୍ୟ ଏକ ମୁଖ୍ୟ କାରଣ ।