ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆଁଟି ଗ୍ରାମ ପଞ୍ଚାୟତ ଅଧୀନ ବାଗଡୁଙ୍ଗୁରି ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପବିତ୍ର ଝାମୁ ଯାତ୍ରା ପ୍ରତିବର୍ଷର ଭଳି ଚଳିତ ବର୍ଷ ମଧ୍ୟ ବିପୁଳ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଧୁମ୍ଧାମରେ ପାଳିତ ହୋଇଯାଇଛି। ଏହି ଯାତ୍ରା କେବଳ ଏକ ପାରମ୍ପରିକ ଉତ୍ସବ ନୁହେଁ, ବରଂ ଗ୍ରାମବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଆତ୍ମିକ ଶକ୍ତିର ଏକ ପ୍ରତୀକ ଭାବେ ପରିଚିତ। ବାଗଡୁଙ୍ଗୁରି ଗ୍ରାମରେ ପ୍ରାୟ ୧୫ ବର୍ଷ ହେଲା ମା ତାରିଣୀଙ୍କ ପୂଜା ଅବିରତ ଭାବେ ଚାଲିଆସୁଛି। ଗ୍ରାମବାସୀମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ସହ ମାଙ୍କୁ ପୂଜା କରୁଥିବା ବେଳେ, ୫ ବର୍ଷ ଧରି ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଏହି ଝାମୁ ଯାତ୍ରାକୁ ବିଶେଷ ଭାବରେ ଆୟୋଜନ କରାଯାଉଛି। ଏହି ଦିନ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ ଓ ଦୂର ଦୂରାନ୍ତରୁ ଶତାଧିକ ଭକ୍ତମାନେ ଏଠାରେ ସମାଗମ କରିଥାନ୍ତି, ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ପାରମ୍ପରିକ ଝାମୁ ପୂଜା, ଯେଉଁଥିରେ ଭକ୍ତମାନେ ମାଙ୍କ ପ୍ରତି ଅଟୁଟ ବିଶ୍ୱାସ ଓ ଶ୍ରଦ୍ଧାର ପ୍ରତୀକ ଭାବେ ବିଭିନ୍ନ କଠିଣ ନିୟମ ଓ ପାରମ୍ପରିକ ରୀତିନୀତି ପାଳନ କରିଥାନ୍ତି। ମୃଦଙ୍ଗ ଓ ଘଣ୍ଟ ଧ୍ୱନିରେ ସମଗ୍ର ଗ୍ରାମ ମାତୃମୟ ହୋଇଯାଏ।
ପୂଜା ମଣ୍ଡପରେ ଭକ୍ତମାନେ ଦୀପ ଜଳାଇ, ନଡ଼ିଆ, ପଣା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଅର୍ପଣ କରି ମାଙ୍କର ଆଶୀର୍ବାଦ ଲାଭ କରନ୍ତି।ସ୍ଥାନୀୟ ଗ୍ରାମବାସୀଙ୍କ ମତାନୁସାରେ, ମା ତାରିଣୀ ଅତ୍ୟନ୍ତ ଜାଗ୍ରତ ଦେବୀ ଭାବେ ପରିଚିତ ଓ ଯେଉଁମାନେ ନିଷ୍ଠାର ସହ ମାଙ୍କୁ ଡାକନ୍ତି, ସେମାନଙ୍କ ସମସ୍ତ ବିପଦ, ଦୁଃଖ ଓ କଷ୍ଟ ଦୂର ହୋଇଥାଏ। ଅନେକ ଭକ୍ତ ମାଙ୍କ ନିକଟରେ ମନୋକାମନା କରି ସଫଳ ହେବା ପରେ ପୁଣି ଏଠାରେ ଆସି ନିଜ ମନସ୍କମନା ପୂରଣ କରୁଥିବା ଦେଖିବାକୁ ମିଳେ।ଏହି ଅବସରରେ ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ମେଳାର ଆକର୍ଷଣ ମଧ୍ୟ ଦେଖାଯାଇଥିଲା। ବିଭିନ୍ନ ପ୍ରକାରର ଦୋକାନ, ଖାଦ୍ୟ ପଦାର୍ଥ ଓ ଖେଳନା ଷ୍ଟଲ ଲଗାଯାଇଥିବା ବେଳେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ଧାର୍ମିକ କାର୍ୟକ୍ରମ ଆୟୋଜିତ ହୋଇ ଆସ୍ଥା ଓ ଆନନ୍ଦର ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା।ସମଗ୍ର ଉତ୍ସବଟି ଶାନ୍ତିଶୃଙ୍ଖଳା ଓ ସମ୍ପ୍ରୀତିରେ ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ଗ୍ରାମବାସୀମାନେ ଖୁସି ପ୍ରକାଶ କରିଛନ୍ତି। ଏପରି ଧାର୍ମିକ ଆୟୋଜନ ଗ୍ରାମୀଣ ସଂସ୍କୃତିକୁ ସଜୀବ ରଖିବା ସହ ଲୋକମାନଙ୍କ ମଧ୍ୟରେ ଏକତା ଓ ଭାଇଚାରାକୁ ଆହୁରି ମଜବୁତ କରୁଥିବା ବୋଲି ସ୍ଥାନୀୟମାନେ ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି।
