(ମହାଭାରତ, ଲକ୍ଷ୍ମୀପୁର): କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗୁଲୁମିଗୁଡାରେ ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତକ ଜଣକ ମଙ୍ଗୁଡୁ ହୁଲୁକା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗୁଲୁମିଗୁଡାର ମଙ୍ଗୁଡୁ କିଛି ଦିନ ଧରି ତାଙ୍କ ସ୍ତ୍ରୀଙ୍କ ସହ ପେଦଲପଡା ପଞ୍ଚାୟତ ଅନ୍ତର୍ଗତ ଏ ଜଗାଗୁଡା ଗାଁରେ ରହୁଥିଲେ । ଏହି ଗାଁର ଜଣେ ବ୍ୟକ୍ତି ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ଗତ ଜାନୁଆରୀ ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମଙ୍ଗୁଡୁ ଗୁଣି କରି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ । ପରେ ଉକ୍ତ ପରିବାରର ୫ ଜଣ ମଙ୍ଗୁଡୁଙ୍କୁ ପିଟି ପିଟି ମାରିଦେବା ପରେ ତାଙ୍କ ମୃତଦେହକୁ ପୋଡି ଦେଇଥିଲେ । ମଙ୍ଗୁଡୁଙ୍କ ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କୁ ନ ପାଇବାରୁ ତାଙ୍କ ପୁଅ ବନ୍ଧୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବନ୍ଧୁଗାଁ ଥାନା ଆଇଆଇସି ତପନ କୁମାର ନାହକ ସୂଚନା ଦେଇଛନ୍ତି । ଲକ୍ଷ୍ମୀପୁର ଏସଡିପିଓ ଓ ବନ୍ଧୁଗାଁ ତହସିଲଦାରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମଙ୍ଗୁଡୁଙ୍କ ହତ୍ୟା ସମ୍ପର୍କରେ ପ୍ରମାଣ ହାସଲ କରିଛି ।
previous post
