(ମହାଭାରତ, ଚାନ୍ଦବାଲି): ଗତ କିଛି ଦିନ ଧରି ଘନ କୁହୁଡି ଯୋଗୁ ସାରା ରାଜ୍ୟରେ ପ୍ରତ୍ୟେକ ଦିନ ସକାଳୁ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି । ଶୁକ୍ରବାର ସକାଳେ ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀଙ୍କୁ ଧରି ତାଳଚୁଆରୁ ଚାନ୍ଦବାଲି ଯାଉଥିବା ଏକ ଲଞ୍ଚ ଘନ କୁହୁଡି ଯୋଗୁ ପ୍ରାୟ ୩ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ମଝି ସମୁଦ୍ରରେ ଫସି ରହିଥିଲା । ସକାଳ ପ୍ରାୟ ୯ଟା ପରେ କୁହୁଡି କମିବାରୁ ଲଞ୍ଚଟି ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ସକାଳ ୬ଟା ପୂର୍ବରୁ ତାଳଚୁଆରୁ ଏହି ଲଞ୍ଚଟି ଚାନ୍ଦବାଲି ଅଭିମୁଖେ ବ୍ରାହ୍ମଣୀ ନଦୀରେ ଯାତ୍ରା କରୁଥିଲା । କିନ୍ତୁ ଯାତ୍ରା କରିବାର ପ୍ରାୟ ଅଧା ଘଣ୍ଟା ପରେ ଧାମରା ମୁହାଣ ନିକଟରେ ବାଟ ଜାଣି ନ ପାରି ଲଞ୍ଚ ଡ୍ରାଇଭର ସମୁଦ୍ରକୁ ପଶି ଯାଇଥିଲା । କିଛି ବାଟ ଯିବା ପରେ ଏହା ଜାଣିପାରି ସେ ଧାମରା ମୁହାଣ ଠାରୁ କିଛି ଦୂରରେ ଲଞ୍ଚଟିକୁ ଅଟକାଇ ରଖିଥିଲେ । ତେବେ ଲଞ୍ଚରେ ଦୀର୍ଘ ୩ ଘଣ୍ଟା ଧରି ଛୋଟ ଛୁଆଙ୍କ ସମେତ ବୟସ୍କ ବ୍ୟକ୍ତି ଓ ମହିଳାମାନେ ମଧ୍ୟ ଫସି ରହିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।
previous post
next post