(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ କୁଲୁନ୍ଦି-କୁଣ୍ଡେଇସରା ୫୩ ନଂ ଜାତୀୟ ରାଜପଥ ଠାରେ ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ ପରେ ଲୁଟ କରିଥିଲେ । ଏହି ଅଭିଯୋଗ ହେବା ପରେ ସୋମବାର ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ବରଗଡ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ପୋଲିସ ନଗଦ ୧୦ ହଜାର ୫୦୦ ଟଙ୍କା ସମେତ ଏକ କାର, ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ, ଏହି ଦୁର୍ବୃତ୍ତମାନେ ରବିବାର ରାତିରେ ଜାତୀୟ ରାଜପଥ କଡରେ ଥିବା ଏକ ଢାବାରେ ଖାଇବା ପରେ ବଡରମା ବନଦୂର୍ଗା ମନ୍ଦିର ଆଡେ ଯାଇଥିଲେ । ଏହି ସମୟରେ ଦେଓଗଡ ଆଡୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକକୁ ଅଟକାଇଥିଲେ । ପରେ ଟ୍ରକ ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ନଗଦ ୭ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ । ସେହିପରି ଏହି ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଟ୍ରକକୁ ମଧ୍ୟ ଏହି ଦୁର୍ବୃତ୍ତମାନେ ଅଟକାଇଥିଲେ । ପରେ ଡ୍ରାଇଭରଙ୍କୁ ମାଡ଼ ମାରି ତାଙ୍କ ନିକଟରୁ ୩ ହଜାର ୫୦୦ ଟଙ୍କା ସମେତ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିଲେ । ତେବେ ଦୁଇ ଟ୍ରକ ଡ୍ରାଇଭରଙ୍କୁ ଲୁଟ କରି ଯିବା ବେଳେ ତାଙ୍କ ଗାଡିଟି ଭାରସାମ୍ୟ ହରାଇ ଏକ ଟ୍ରଲର ସହ ଧକ୍କା ହୋଇଥିଲା । ଗାଡିଟି ଦୂର୍ଘଟଣାଗ୍ରସ୍ତ ହେବା ପରେ ଦୁର୍ବୃତ୍ତମାନେ ଏକ ସ୍ଥାନୀୟ ଏକ ଜଙ୍ଗଲ ଭିତରକୁ ଯାଇ ଲୁଚି ରହିଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ତଲାସ କରିଥିଲା । ଏହି ସମୟରେ ଲୁଚିଥିବା ଜଣେ ଦୁର୍ବୃତ୍ତ ପୋଲିସ ହାତରେ ଧରାପଡିଥିଲା । ଏହାପରେ ଅନ୍ୟ ଦୁଇ ଦୁର୍ବୃତ୍ତଙ୍କୁ ପୋଲିସ କାବୁ କରିନେଇଥିଲା । ଦୁର୍ବୃତ୍ତମାନଙ୍କ ନିକଟରୁ ପୋଲିସ ନଗଦ ୧୦ ହଜାର ୫୦୦ ଟଙ୍କା ସମେତ, କାର, ଦୁଇଟି ଛୁରୀ, ଏକ ଲୁହା ରଡ, ୯ଟି ମୋବାଇଲ ଏବଂ ଗୋଟିଏ ମୁଖା ଜବତ କରିଛି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
previous post