ଭୁବନେଶ୍ୱର: ବାରମ୍ବାର ରାଜ୍ୟ ବ୍ୟାପୀ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସି ବହୁ ଅଘଟଣ ଘଟୁଛି । ଏହାକୁ ନେଇ ଘଟଣା ଘଟିବା ପରେ ସୃଷ୍ଟି ହେଉଛି ତମ୍ବିତୁଫାନ । କିନ୍ତୁ ବିଦ୍ୟୁତ୍ ବିଭାଗ ଏହାକୁ ନେଇ ନିଦା ବିଷ୍ଣୁ ସାଜି ବସିଛି । ଯେଉଁଥି ପାଇଁ ଆଜି ଖୋଦ ରାଜଧାନୀରେ ଏକ ବଡ ଧରଣର ଅଘଟଣ ଘଟୁ ଘଟୁ ବର୍ତ୍ତି ଯାଇଛି । ରାଜଧାନୀର ଚନ୍ଦ୍ରଶେଖରପୁରସ୍ଥିତ ଓମଫେଡ ଫ୍ୟାକ୍ଟ୍ରି ନିକଟରେ ବିପଦଶଙ୍କୁଳ ଅବସ୍ଥାରେ ଥିବା ଏକ ଟ୍ରାନ୍ସଫର୍ମର ପୋଡି ଯିବାରୁ ୪ ଜଣ ଆହତ ହୋଇଛନ୍ତି ।
ଓମଫେଡ ଫ୍ୟାକ୍ଟି ଗେଟ ନିକଟରେ ଜନୈକ ବ୍ୟକ୍ତି ଏକ ଜଳଖିଆ ଦୋକାନ କରିଥିଲେ । ସେହିଠାରେ ଏକ ଟ୍ରାନ୍ସଫର୍ମର ଥିଲା । ଟ୍ରାନ୍ସଫର୍ମଟି ଆଜି ଭୋର ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ କରି ନିଆଁ ବାହାରି ଥିଲା । ସେହି ନିଆଁ ଦୋକାନ ଉପରେ ପଡି ଥିଲା । ଓ ଦୋକାନରେ ଛଣାଛଣି ପାଇଁ ତେଲ କଡେଇ ଥିବାରୁ ଏହା ଭୟଙ୍କର ରୂପ ନେଇଥିଲା । ଫଳରେ ଦୋକନର ମାଲିକ, ତାଙ୍କ ପୁଅ, ଓ ଅନ୍ୟ ଦୁଇ ଜଣ ଜଳଖିଆ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନିଆଁରେ ପୋଡି ଯାଇଥିଲେ । ଜୀବନ ବିକଳରେ ସେମାନେ ଚିକ୍ରାର କରୁଥିବା ବେଳେ ସ୍ଥାନୀୟ ଲୋକ ଓ ଓମଫେଡ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଟ୍ରାନ୍ସଫର୍ମଟି ବହୁ ପୁରୁଣା ଥିଲା ଓ ବିପଦଶଙ୍କୁଳ ଅବସ୍ଥାରେ ଥିଲା । ଏନେଇ ବାରମ୍ବାର ମରାମତି ପାଇଁ ମଧ୍ୟ କୁହାଯାଇଥିଲା । ଲୋକେ ଟ୍ରାନ୍ସଫର୍ମର ଅବସ୍ଥା ଦେଖି କୌଣସି ବିପଦ ଆଶଙ୍କା କରୁଥିଲେ । କିନ୍ତୁ ବିଦ୍ୟୁତ୍ ବିଭାଗ ଲୋକଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିଲା, ଯାହାର ପରିଣାମ ଆଜି ଏକ ଗରିବ ପରିବାର ଭୋଗକରୁଛି ।
previous post