କଣିହାଁ/ଜ୍ୟୋତିରଂଜନ ଧର : କଣିହାଁ ବ୍ଲକ ବଜ୍ରକୋଟ ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ ଅଧୀନସ୍ଥ ଦଲକ ଗ୍ରାମରେ ବୁଧବାର ପୂର୍ବାହ୍ନ୧୧ଟାରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗର ୨ଟି ଦମକଳ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଅଗ୍ନିଶମ ଅଧିକାରୀ ରୋହିତ କୁମାର ବେହେରାଙ୍କ ନେତୃତ୍ୱରେ ପ୍ରାୟ ଏକଘଣ୍ଟା କସରତ ପରେ ନିଆଁକୁ ଲିଭାଯାଇଥିଲା । ସେତେବେଳକୁ ଦୁଇ ପରିବାରର ୮ବଖରା ଜଳି ପାଉଁଶ ହୋଇଯାଇଥିଲା । କିନ୍ତୁ ନିଆଁକୁ ସଂପୁର୍ଣ୍ଣ ଆୟତ କରିବା ଫଳରେ ନିଆଁ ଅନ୍ୟ ଘରକୁ ବ୍ୟାପି ନଥିଲା । ବିଜୟ କୁମାର ବେହେରା, ଅଭିମନ୍ୟୁ ବରାଳ, ପ୍ରତାପ ପଟ୍ଟନାୟକ, ନିଶାକାର ସାହୁ ପ୍ରମୁଖ ଅଗ୍ନିଶମ କର୍ମଚାରୀ ସାମିଲ ଥିଲେ । ସୂଚନାପାଇ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା, କଣିହାଁ ତହସିଲ ଇନଚାର୍ଜ ରବିନ୍ଦ୍ର ସାମଲ, ବଜ୍ରକୋର୍ଟ ଆରଆଇ ଆନନ୍ଦ ସାହୁ ପହଁଚି ଥିଲେ । ସଂପୃକ୍ତ ପରିବାର ଦ୍ୱୟ ପକ୍ଷରୁ ୩୦କୁଇଣ୍ଟାଲ ଧାନ, ଝିଅ ବାହାଘର ଓ ପୁଅର ଅପରେସନ ପାଇଁ ଗଛିତ ୧ଲକ୍ଷ ଟଙ୍କା, ୧୦ଭରି ସୁନା, ବସ୍ତ୍ର, ବାସନ, କୁସନ, ଚଳଣି ସାମଗ୍ରୀ ସଂପୂର୍ଣ୍ଣ ପୋଡି ଯାଇଛି ବୋଲି କୁହାଯାଇଥିବା ବେଳେ କଣିହାଁ ଅଗ୍ନିଶମ ବିଭାଗ ପକ୍ଷରୁ ୨ଲକ୍ଷରୁ ଅଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା କୁହାଯାଇଛି । ଆରଆଇ ଶ୍ରୀ ସାହୁ କ୍ଷୟକ୍ଷତିର ଆକଳନ କରିବା ପାଇଁ କଣିହାଁ ତହସିଲଦାର (ଇନଚାର୍ଜ) ନିର୍ଦ୍ଦେଶ ଦେଇଥିଲେ । ଦୁଇଟି ଜରିପାଲ ବିପନ୍ନ ପରିବାର ଦ୍ୱୟକୁ ସଂପୃକ୍ତ ଆରଆଇ ପ୍ରଦାନ କରିଥିଲେ । ବିଶେଷକରି ଅଗ୍ନିଶମ ବିଭାଗ ପହଁଚିବା ପୂର୍ବରୁ ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟା ତିରୁଲତା ଗଡନାୟକ ନିଜେ ପାଣି ବୋହି ଲିଭାଇଥିଲେ । ଦଲକ ପଂଚାୟତ ଜିଆରଏସ୍ ୫ଶହ ଟଙ୍କା ସହାୟତା ପ୍ରଦାନ କରିଥିବା ଜଣାପଡିଛି । ସେହିପରି କଣିହାଁ ପଂଚାୟତ ସମିତି ଅଧକ୍ଷା ନମିତା ସାହୁ, ସୁବାଷ ସାହୁ , ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ନୃସିଂହ ଚରଣ ବରାଳ, କର୍ଣ୍ଣ ଭୂତିଆ ପ୍ରମୁଖ ପହଁଚି ବିପନ୍ନ ପରିବାରକୁ ଚାଉଳ, ଚୁଡା, କଦଳୀ, ଗୁଡ, ବସ୍ତ୍ର, ବିଷ୍କୁଟ, ଲୁଣ , ତେଲ, ଧୋତି, ଗାମୁଛା, ଲୁଗା ପଟା ପ୍ରଦାନ କରିଥିଲେ ।
