(ମୁମ୍ବାଇ): ନଭୀ ମୁମ୍ବାଇର ସେକ୍ଟର ୪୪ରେ ନେରୁଲ ସିଉଡ୍ସରେ ଥିବା ଏକ ଆପାର୍ଟମେଣ୍ଟରେ ଶନିବାର ସକାଳେ ନିଆଁ ଲାଗିଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ପ୍ରାୟ ୬ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯରେ ନିୟୋଜିତ ଅଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ବେଳେ ଏହି ଅଗ୍ନିକାଣ୍ଡର କାରଣ ଏଯାଏ ଅସ୍ପଷ୍ଟ ରହିଛି । ଠାଣେ ନଗର ନିଗମ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାମ ରୋଡ ସ୍ଥିତ ଏହି ଆପାର୍ଟମେଣ୍ଟର ୨୦ ମହଲାରେ ସକାଳ ପ୍ରାୟ ସାଢେ ୬ଟାରେ ନିଆଁ ଲାଗିଥିଲା । ଧୀରେ ଧୀରେ ଏହି ନିଅାଁ ଉପର ମହଲାକୁ ମଧ୍ୟ ବ୍ୟାପି ଥିଲା । ଏହାପରେ ନେରୁଲ ଓ ସିବିଡି ବେଲାପୁର ଓ ବାଶୀ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପୂର୍ବରୁ ମୁମ୍ବାଇର ସାକି ନାକା ଅଞ୍ଚଳର ଏକ ଆଶ୍ରୟ ସ୍ଥଳର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ୭ଟି ଦମକଳ ଗାଡି ସହ ବହୁ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୭ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଗ୍ୟାସ ଟାଙ୍କି ଫାଟି ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
previous post
