ଓଡିଶା

ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ୱାରରେ ସଂପର୍ଣ୍ଣ

(ଜୟନ୍ତ କୁମାର ସେଠୀ/ଗୋପ): ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗ ଦ୍ୱାରରେ ହୋଇଛି । ଆଜି ଅପରାହ୍ନରେ ପୁରୀ ସ୍ଵର୍ଗଦ୍ୱାର ରେ ସ୍ବର୍ଗତ ବିଜୟ ମିଶ୍ରଙ୍କ ବଡ଼ ପୁଅ ଅନୁପମ ମିଶ୍ର ମୁଖାଗ୍ନି ଦେଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଥିଲା। ତାଙ୍କର ଅନ୍ତିମ ଦର୍ଶନ ପାଇଁ ତାଙ୍କର କିଛି ଛାତ୍ର ଓ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ସ୍ୱର୍ଗତ ବିଜୟ ମିଶ୍ରଙ୍କ ବିୟୋଗକୁ ରାଜ୍ୟ ପାଇଁ ଏକ ଗଭୀର କ୍ଷତି ବୋଲି ମତ ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଜୀବନ ବ୍ୟାପି ଅବଦାନ ପାଇଁ ସମ୍ମାନଜକ ଜୟଦେବ ପୁରସ୍କାର ମଧ୍ୟ ସେ ପାଇଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର । ବାଲେଶ୍ୱରର ନୀଳଗିରିରେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ମିଶ୍ର । ସେ ଜଣେ ଓଡ଼ିଆ ମଂଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ବେଶ୍ ପରିଚିତ ଥିଲେ । ବିଜୟ ମିଶ୍ର ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

Related posts

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

mahabharatanews

ବିଧାୟକ ଏବଂ ମନ୍ତ୍ରୀଙ୍କ ନିୟମ ଉଲ୍ଲଂଘନକୁ ବିରୋଧ କରି ବିଜେପିର ପ୍ରତିବାଦ

mahabharatanews

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews