ଓଡିଶା

ନିୟନ୍ତ୍ରଣ ବଦଳରେ ସଚେତନତାକୁ ଗୁରୁତ୍ୱ

ଭୁବନେଶ୍ୱର: କରୋନା ଭୂତାଣୁ ଏଯାଏ ରାଜ୍ୟର ପିଛା ଛାଡିନି । ରାଜ୍ୟରେ ଦୈନିକ ସଂକ୍ରମଣ ୧୮୦୦ରୁ ୧୯ ୦୦ ମଧ୍ୟରେ ରହୁଛି । ସେପଟେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଶୁକ୍ରବାର ଦିନ ରାଜଧାନୀ ଭୁବନେଶ୍ୱରରେ ୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ସଂଖ୍ୟା ୨୪୯ରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ବିଏମସି କମିଶନର ଜନ ସଚେତନତା ଉପରେ ଫୋକସ ଦେବା ସହ ନିୟମିତ ସରକାରୀ ଓ ବେସରକାରୀ ଅଫିସ, ଅନୁଷ୍ଠାନର ଯାଞ୍ଚ କରି ଡେଙ୍ଗୁ ପ୍ରତିଷେଧକ ପଦକ୍ଷେପ ନିଆ ଯାଇଛି କି ନାହିଁ ତାର ତଦନ୍ତ କରିବାକୁ ଯାଉଛି ।

ଏବେ ରାଜଧାନୀର ଚନ୍ଦ୍ରଶେଖରପୁର, ନିଳାଦ୍ରୀ ବିହାର, ବିଡିଏ କଲୋନୀ, ଶୈଳଶ୍ରୀ ବିହାର, ପଦ୍ମାବତୀ ବିହାର, ଚିନ୍ତାମଣିଶ୍ୱର ଓ ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶୈଳଶ୍ରୀ ବିହାର ଓ ନିଳାଦ୍ରୀ ବିହାର ଅଞ୍ଚଳର ପରିବାର ପିଛା ୨ରୁ ୩ ଆକ୍ରାନ୍ତ ରହିଛନ୍ତି । ଘରକୁ ଘର ବୁଲି ବିଏମସି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି । ଘର ଭିତରେ ତଥା ବାହାରେ କୌଣସି ସ୍ଥାନରେ ପାଣି ଜମିବାକୁ ନ ଦେବାକୁ ତାଗିଦ କରାଯାଉଛି । ଏହା ଅବଶ୍ୟ ଏକ ପ୍ରଶଂସନୀୟ ପଦକ୍ଷେପ ।

କିନ୍ତୁ ରାଜଧାନୀର ବିଭିନ୍ନ ଗଳି କନ୍ଦି, ରାସ୍ତା କଡରେ ପଡିଛି କୁଢକୁଢ ଅଳିଆ ଆବର୍ଜନା, ଟାୟାର, ବୋତଲ, ପ୍ଲାଷ୍ଟିକ ଗ୍ଲାସ ପରି ପରିତ୍ୟକ୍ତ ସାମଗ୍ରୀ । ସେଥିରେ ମଧ୍ୟ ବର୍ଷା ପାଣି ଜମା ହେଉଛି । କିନ୍ତୁ ଏସବୁ ପ୍ରତି ବିଏମସିର ନିଘା ନାହିଁ । ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମାରେ ଅଳିଆ ଆବର୍ଜନା ଗଦା ହୋଇ ରହିଛି । ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ଉପରଠାରୁ ନାଳ ସବୁଠି ପାଣି ଜମି ରହୁଛି । ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ନାଳ ସଫା ପାଇଁ ବିଏମସି ଖର୍ଚ୍ଚ କରୁଥିବା ବେଳେ କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ । ଅବଶ୍ୟ ଏଡିସ ମଶା ପରିଷ୍କାର ପାଣିରେ ତାର ବଂଶ ବିସ୍ତାର କରିଥାଏ । ତେଣୁ ଅଳିଆ ଆବର୍ଜନା ପାଣି ଜମିବାରେ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନ ଥିବା ବିଏମସି ହୁଏତ ଭାବୁଛି । ତେଣୁ ବିଏମସି ଅଞ୍ଚଳରେ ରହୁଥିବା ଲୋକଙ୍କୁ ପରିଷ୍କାର ପାଣି ଜମିବାକୁ ନ ଦେବାକୁ ତାଗିଦ କରିବାରେ ରହିଛି । ଅନ୍ୟ ପଟେ ଅଳିଆ ଆବର୍ଜନା ପାଇଁ ମଶା ରାଜଧାନୀ ବାସୀଙ୍କ ନିଦ ହଜାଇ ଦେଉଛି ।

ଅ।ଗକୁ ପୁଣି ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ନିୟନ୍ତ୍ରଣରେ ଲାଗିଥିବା ବେଳେ ବିଏମସି କମିଶନର ସଚେତନତା ସୃଷ୍ଟି କରିବାକୁ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଡେଙ୍ଗୁରେ ଲୋକଙ୍କ ମୃତ୍ୟୁ ହେଲାଣି । ଗତ କିଛି ବର୍ଷ ଧରି ଡେଙ୍ଗୁରେ ଲୋକେ ସଂକ୍ରମିତ ହେଉଛନ୍ତି । କିନ୍ତୁ ବର୍ଷା ଦିନ ପୂର୍ବରୁ ଯେମିତି ଏଡିସ ମଶା ନ ହୁଏ, ସେ ଦିଗରେ ନା ବିଭାଗ, ନାହିଁ ବିଏମସି ପଦକ୍ଷେପ ନେଉଛି । ମଶା ରାଜଧାନୀରେ ନିଜ ବଂଶ ବିସ୍ତାର କରି ଚାଲିଥିଲେ ମଧ୍ୟ ବିଏମସି ପକ୍ଷରୁ ମଶା ତେଲ ପକା ଯାଉନି କି ଧୂଆଁ ଗାଡି ବୁଲୁନି । ସବୁ ଲୋକଙ୍କ ମୁଣ୍ଡକୁ ପେଲି ଦେଇ ସରକାର ନିଘୋଡ ନିଦରେ ଶୋଇ ରହିଛି ।

Related posts

ସମର୍ପିତ ପକ୍ଷରୁ ନିଆରା ଦୀପାବଳୀ କାର୍ଯ୍ୟକ୍ରମ: ବାଣ ନୁହେଁ ଫୁଟିଲା ହସ

mahabharatanews

ରାଜ୍ୟରେ ଆଜି ଆଉ ୧୭୪ କରୋନା ମାମଲା

mahabharatanews

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews