ଭୁବନେଶ୍ୱର/ଶିଳାସ୍ମିତା ରାୟ: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଦଶହରା ଭେଟି । ଦଶହରା ଭେଟି ଭାବେ ନବଦାସଙ୍କୁ ମିଳିଛି ୮ ଏକ ଜାଗା । । ଏହି ଆଠ ଏକର ଜାଗାକୁ ନେଇ କିଛି ସମାଲୋଚକ ସମାଲୋଚନା କରୁଛନ୍ତି । ସମାଲୋଚକଙ୍କ କାମ ସବୁଥିରେ କେଁ ପୂରେଇବା । ସେ ଜଣେ ମନ୍ତ୍ରୀ, ପୁଣି ସ୍ୱାସ୍ଥ୍ୟ ବିଭାଗ ପରି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ । ତା ବ୍ୟତୀତ, ଦାସଙ୍କର ସେତିକି କାଟତି ନ ଥିଲେ କଣ ନିର୍ବାଚନ ପୂର୍ବରୁ ଦଳକୁ ଡେଉଁ ଡେଉଁ ଏ ପଦ ମିଳିଥାନ୍ତା? ତାଙ୍କର ସେତିକି ଦମ ଅଛି ବୋଲି ନା! ନୋହିଲେ ବିଜେଡିରେ କଣ ଟାଣୁଆ କରିତକର୍ମା ବିଧାୟକଙ୍କ କମି ଥିଲା ଯେ ସେ ଦଳରେ ଗୋଡ ଦେଉ ନ ଦେଉଣୁ ଏତେ ବଡ ବିଭାଗ ପାଇଲେ । ତେଣୁ ପୂଜା ପାର୍ବଣରେ କେହି କିଛି ଭେଟି ଦେବା ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ ।
ତା ପରେ ସେହି ଜାଗାଟି ନବ କିଶୋରଙ୍କୁ ମିଳିନାହିଁ । ସେ ଜଣେ ମନ୍ତ୍ରୀ । ତାଙ୍କୁ ଏପରି ଜାଗାବାଡି ସିଧାସଳଖ ଉପହାର ଦେବା ଅସୌଜନ୍ୟ ହେବ । ତେଣୁ ଏହି ଜମିଟି ନବଙ୍କ ସୁପୁତ୍ର ବିଶାଳ ଦାଶଙ୍କୁ ମିଳିଛି । ୟାକୁ ନେଇ କୁହାଯାଉଛି, ନାକତ ନାକ । ସିଧା ଧର କି ହାତକୁ ପଛରୁ ବୁଲେଇ ଧର, ନାକ ତ ପାଟି ହେବ ନାହିଁ । ଜାଗା ପୁଅକୁ ଦିଆଯାଉ ଅବା ବାପାଙ୍କୁ , ତାହା ନବଙ୍କର ହେବ ନା। ସେ ଯାହା ହେଉ ନବ ବେଦାନ୍ତର ସୁରକ୍ଷା କବଚ ହୋଇ ଠିଆହୋଇଛନ୍ତି । ଝାରସୁଗୁଡାରେ ବେଦାନ୍ତର ଯେତେବେଳେ ଯାହା ଦରକାର ନବ ତାଙ୍କ ରାଜନୈତିକ ଚାପ ପ୍ରୟୋଗ କରି ଚୁଟକିରେ କରୁଛନ୍ତି । ବେଦାନ୍ତ ବିରୋଧରେ ଝାରସୁଗୁଡାବାସୀଙ୍କ ଯେତେଯେତେ ଅଭିଯୋଗ ଥିଲେ ମଧ୍ୟ ପ୍ରଶାସନ ବେଦାନ୍ତ ଆଡେ ଆଖି ଟେକି ଚାହିଁବାର ଶକ୍ତି ନାହିଁ ନବ କିଶୋରଙ୍କ ପାଇଁ । ତେଣୁ ଜାଗାଖଣ୍ଡେ ମନ୍ତ୍ରୀଙ୍କୁ ଦେବାରେ କଣ ଭାସି ଯାଉଛି ବେଦାନ୍ତର ଯେ? ଏତେ ସମାଲୋଚନା ।
ଏତେ ପୁରୁଣା ଓ ଆତ୍ମୀୟତାପୂର୍ଣ୍ଣ ଏହି ଭାବପ୍ରିତିରେ ଦବା ନବା କିଛି ବଡ କଥା ନୁହେଁ । ହେଲେ ସମାଲୋଚକ କହୁଛନ୍ତି, ଏହି ଜାଗାଟି ଝାରସୁଗୁଡା କୋଲାବିରା ତହସିଲ ଅଧୀନ ସୋଡାନଗାଁରେ ଥିବା ସରକାରୀ ଜମି । ଏହି ଜମିଟି ପାଇଁ ଆଗରୁ ଅବଶ୍ୟ ବିଶାଳ ଦାଶଙ୍କ ସଂସ୍ଥା ମହାନଦୀ ୱେଷ୍ଟେଜ ମ୍ୟାନେଜମେଣ୍ଟ ସର୍ଭିସେସ୍ ପାଇଁ ଲିଜ ଆବେଦନ କରାଯାଇଥିଲା । କିନ୍ତୁ ସେହି ସମୟରେ ସେହି ଗ୍ରାମର ଅନ୍ୟଜଣେ ବ୍ୟକ୍ତି ଦିଲ୍ଲୀପ ସିଂହଦେଓ ମଧ୍ୟ ଜମିଟି ଉପରେ କିଛି ବ୍ୟବସାୟ ପାଇଁ ଆବେଦନ କରିଥିଲେ । ଏହା ବ୍ୟତୀତ, ବେଦାନ୍ତ ପାଉଁଶରେ ଅତିଷ୍ଠ ଝାରସୁଗୁଡାବାସୀ ସେଠାରେ ମହାନଦୀ ୱେଷ୍ଟେଜକୁ ଜମି ଦେବାକୁ ବିରୋଧ କରିଥିଲେ । ଗାଁକୁ ବର୍ଜ୍ୟବସ୍ତୁର କୁଢ କରିବାକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ ପରେ ବିଶାଳ ତାଙ୍କ ଲିଜ ଆବେଦନକୁ ଫେରସ୍ତ ନେଇଥିଲେ । ଏହି ଘଟଣାକୁ ଏକ ବର୍ଷ ବିତି ଗଲାଣି । କିନ୍ତୁ ଜାଗାଟି ଗାଁର ସିଂହଦେଓଙ୍କୁ ଏପର୍ଯ୍ୟନ୍ତ ମିଳି ପାରି ନ ଥିଲା ।
ସରକାରୀ ଜାଗା ଖଣ୍ଡେ ଲିଜରେ ପାଇବା କଣ ଏତେ ସହଜ? ଜାଗାବାଡି କିଣିବା ଭାଗ୍ୟର କଥା । ତା ଉପରେ ସେହି ଜାଗା ସରକାରଙ୍କର । ସେଥିଲାଗି ସରକାରୀ ଅଫିସକୁ ଦୌଡି ଦୌଡି ଚପଲ ଚପଲ ଘୋରିହୋଇ ଯାଉଛି ଲୋକଙ୍କର । ସେ କୌଣସି ନେତା ନୁହନ୍ତି କି ମନ୍ତ୍ରୀ କି ଅଧିକାରୀ । ଆଉ ଏତେ ସହଜରେ କେମିତି ସିଂହଦେଓଙ୍କୁ ମିଳିଥାନ୍ତା ? ତାହାହିଁ ହେଲା ସିଂହଦେଓଙ୍କ ପାଇଁ । ଦୌଡି ଦୌଡି ନୟାନ୍ତ ହେଲେ ହେଲେ ଜାଗା ମିଳିଲା ନାହିଁ । କିନ୍ତୁ ଏକ ବର୍ଷ ପରେ ତଥା ବେଦାନ୍ତର ସମ୍ପ୍ରସାରଣ ପାଇଁ ଜନ ଶୁଣାଣି ସରୁ ନ ସରୁଣୁ ଜାଗାଟି ବିଶାଳଙ୍କୁ ମିଳିଛି । ଗତ ୧୯ ତାରିଖରେ ଏନେଇ ଇଡକୋ ପକ୍ଷରୁ ଏକ ବିଧିବଦ୍ଧ ଚିଠି ହୋଇଛି । ଏହାକୁ ନେଇ ସମାଲୋଚକ, ନିନ୍ଦୁକ କହୁଛନ୍ତି, ଏହା ଦେଖି ଲାଗୁଛି, ବେଦାନ୍ତର ଜନଶୁଣାଣି ସୁରୁଖୁରୁରେ ଶେଷ ହୋଇଥିବାରୁ ବେଦାନ୍ତ ଇଡକୋକୁ ବିଶାଳଙ୍କ ପସନ୍ଦିତା ଜାଗାଟିକୁ ଟେକିଦେବାକୁ ସୁପାରିଶ କରିଛି । ଗୋଟିଏ ଜାଗା ଦେଇ ବେଦାନ୍ତ କୃତଜ୍ଞତା ଜଣାଇବା ସହ ପରୋକ୍ଷରେ ଇଡକୋ ମଧ୍ୟ ମନ୍ତ୍ରୀଙ୍କ ଖୁସି କରିଛି ।