ଓଡିଶା

ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଆଜି ଗଭୀର ରୂପ ନେବ । ଅପରାହ୍ନରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପାଡ଼ା ମଝିରେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ପାରାଦୀପଠାରୁ ୯୦ କିଲୋମିଟର ଦୂରରେ ରହିଛି। ପଶ୍ଚିମ ବଙ୍ଗସାଗର ଦୀପଠାରୁ ଏହା ୧୭୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର- ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି। ଏଥିନେଇ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ କୁହାଯାଇଛି ।
ଏହି ଅବପାତ ପ୍ରଭାବରେ,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟା ଯାଏ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକର ସମୁଦ୍ରକୂଳକୁ ଲାଗିଥିବା ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ବେଳେ ବେଳେ ପବନର ବେଗ ୫୦ କିଲୋମିଟରକୁ ମଧ୍ୟ ଛୁଇଁପାରେ । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି । କଚ୍ଚା ଘର ପ୍ରତି ବିପଦ ଥିବା କୁହାଯାଇଛି।

 

Related posts

ଶବ କାନ୍ଧେଇ ମାନବିକତାର ପରିଚୟ ଦେଲେ ପୋଲିସ କର୍ମଚାରୀ

mahabharatanews

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

mahabharatanews

ଔପଦାରେ ଦ୍ୱିତୀୟ ବାର ଉଦଘାଟନ ହେଲା କାଫେ

mahabharatanews