କଣିହାଁ/ଜ୍ୟୋତି ରଂଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଥାନା ଦଲକ ପଂଚାୟତ ଅଧୀନସ୍ଥ କଣ୍ଟାପାଳ ଗାଁର ଜଣେ ମହିଳାଙ୍କୁ ପୋଇପାଳ ଖଜୁରିଆସାହି ରାସ୍ତାରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ କଣ୍ଟାପାଳ ଗାଁର ସବିତା ବେହେରା(୩୮ବର୍ଷ) ଏବଂ ଅଭିଯୁକ୍ତ ଜଣକ ହେଲେ ପୋଇପାଳ ଗ୍ରାମର ଲକ୍ଷ୍ମଣ ସାହୁ(୬୨ବର୍ଷ । ବୃଦ୍ଧ ଲକ୍ଷ୍ମଣ ପ୍ରେମ ନିବେଦନରେ ସବିତା ଅନିଛା ପ୍ରକାଶ କରିବାରୁ ଏଭଳି ଘଟଣା ଘଟିଥିବା ପ୍ରକାଶ ।
ସୂଚନାରୁ ପ୍ରକାଶ ଯେ, ସବୁଦିନ ଭଳି ଗତକାଲି ସବିତା ପୁଅ ରୁନା ବେହେରା-୧୭ବର୍ଷ ସହ କଣ୍ଟାପାଳରୁ ପୋଇପାଳ ଅଭିମୁଖେ ସକାଳ ୬.୧୫ମିନିଟ ସମୟରେ ମୂଲ ଲାଗିବାକୁ ଯାଉଥିଲେ । ପୋଇପାଳ ଖଜୁରିଆ ସାହିର ଲକ୍ଷ୍ମଣ ପୂର୍ବରୁ ନିଜ ଘର ସମ୍ମୁଖରେ ଛପି ରହିଥିଲା । ସବିତା ଆଗେ ଆଗେ ଯାଉଥିବା ବେଳେ ପଛରେ ପୁଅ କିଛି ଦୂରରେ ଚାଲୁଥିଲା । ଅଭିଯୁକ୍ତ ଲକ୍ଷ୍ମଣ ହଠାତ୍ ଏକ ଟାଙ୍ଗିଆରେ ପ୍ରଥମେ ସବିତାଙ୍କ କାନମୁଳକୁ ଫସା ମାରିବା ପରେ ସବିତା ତଳେ ଖସିପଡିଥିଲା । ତାପରେ ଅଭିଯୁକ୍ତ ଲକ୍ଷ୍ମଣ ଚୋଟ ପରେ ଚୋଟ ମାରି ଚାଲିଥିଲା । ଏହାକୁ ନିଜ ଆଖିରେ ପୁଅ ରୁନା ଦେଖି ଜୀବନ ବିକଳରେ ଦୌଡି ପଳାଇଥିଲା । ଘଟଣାସ୍ଥଳରେ ସବିତାଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ଖବର ପାଇ କଣିହାଁ ପୁଲିସ୍ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ଅନୁସନ୍ଧାନ ଚଳାଇଥିଲା । ଅଭିଯୁକ୍ତ ଲକ୍ଷ୍ମଣ ଏଭଳି ଘଟଣା ଘଟାଇ ଘଟଣାସ୍ଥଳରୁ ଚମ୍ଫଟ୍ ମାରିଥିଲା । ଲକ୍ଷ୍ମଣକୁ ତାର ପୁଅ ଓ ନାତି ପୁଲିସ୍ କୁ ପୂର୍ବାହ୍ନରେ ନିକଟସ୍ଥ ନଦୀ ଖଣ୍ଡିରୁ ଧରାଇ ଦେଇଛନ୍ତି । ପରେ ଅଭିଯୁକ୍ତ ଲକ୍ଷ୍ମଣ ବିଷ ପିଇ ଦେଇଥିବା ଜଣାପଡିଛି । ପରେ ପୁଲିସ୍ କଣିହାଁ ସିଏଚସିକୁ ଆଣି ଚିକିତ୍ସା କରିଥିଲା । ଏନେଇ ସବୀତାଙ୍କ ପୁଅ ରୁନା କଣିହାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ନ ଚଳାଇଛି । ଅଭିଯୁକ୍ତ ଠାରୁ ରକ୍ତ ଭିଜା ଟାଙ୍ଗିଆ ଜବତ ହୋଇଛି ।