(ମହାଭାରତ, ପୁରୀ): ପାକିସ୍ତାନ କରାଚିର ସିନ୍ଧ ପ୍ରଦେଶରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରେ ୭୦ ପୁରୁଷ ୫୦ ମହିଳା ଓ ୧୩ ଜଣ ଛୋଟ ପିଲା ରହିଛନ୍ତି । ଗତ ଶୁକ୍ରବାର ରାତି ପ୍ରାୟ ୯ଟାରେ ବସରେ ଆସି ବଡଦାଣ୍ଡ ସ୍ଥିତ ନାୟକ ପ୍ଲାଜାରେ ଏମାନେ ରାତ୍ରୀଯାପନ କରିଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଯାତ୍ରୀ ସେହି ଦିନ ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଉଭୟ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଓ ବନ୍ଧୁତା ସୁଦୃଢ କରିବା ନିମନ୍ତେ ପ୍ରତିବର୍ଷ ନୂଆବର୍ଷ ଅବସରରେ ପାକିସ୍ତାନରୁ ବହୁ ହିନ୍ଦୁ ପର୍ଯ୍ୟଟକ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହାୟତାରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏହି ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନେ ପ୍ରଥମେ ମଥୁରା ଦର୍ଶନ କରି ସେଠାରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଛନ୍ତି ।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜା ଓ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ଦେଖି ଏହାର ପ୍ରଶଂସା ପର୍ଯ୍ୟଟକମାନେ ଏହାର ପ୍ରଶଂସା କରିଛନ୍ତି । ଶନିବାର ସକାଳ ସାଢେ ୧୧ଟାରେ ଏହି ହିନ୍ଦୁ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଆସନ୍ତା ୫ ତାରିଖରେ ସଦଭାବନା ସଭାଗୃହରେ ଏହି ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକମାନଙ୍କୁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ କ୍ରିୟେଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୁରୀରୁ ହରିଦ୍ୱାର, ବୃନ୍ଦାବନ ହୋଇ ସେମାନେ ପାକିସ୍ତାନ ଫେରିଯିବେ ବୋଲି ଏହି ପର୍ଯ୍ୟଟକମାନେ କହିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରତିବର୍ଷ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପାକିସ୍ତାନର ହିନ୍ଦୁ ଭକ୍ତମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ସେଣ୍ଟର ସଭାପତି ପରେଶ ନାଏକ କହିଛନ୍ତି ।
previous post
next post