ଓଡିଶା

ପୁଲିସର ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। ଲକ୍‌ଡାଉନ ସମୟରେ ଓଡିଶା ପୁଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ୟ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ପୁଲିସ ବାହିନୀକୁ ସେ ଉଚ୍ଚପ୍ରଶଂସା କରିଛନ୍ତି।
ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଜିରୋ ୱାକିଂ ଇନସାଇଡ ଓଡିଶା ନୀତି କାର୍ୟ୍ୟକାରୀ କରିଥିଲେ। ଏହି ନୀତିକୁ ପୁଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ୟ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୁଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଯେ ବାତ୍ୟା ଅମ୍ଫନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ୟ୍ୟରେ ସହଯୋଗ କରିଥିଲେ। କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନଙ୍କର ଏହି କାର୍ୟ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍‌ଡାଉନ ସମୟରେ ପୁଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି। କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଦେଇଛନ୍ତି।
ଥାନାଗୁଡିକରେ ଲୋକମାନେ ଯେଭଳି ଉତ୍ତମ ସେବା ପାଇପାରିବେ, ତାକୁ ଦୃଷ୍ଟିରେ ରଖି ଥାନାମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍‌ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗରେ ଅଛନ୍ତି। ଏହି ଉତ୍ତମ କାର୍ୟ୍ୟକୁ ଜାରି ରଖିବା ପାଇଁ ସେ ପୁଲିସ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍‌ଧ ଅଛି ଏବଂ ପୁଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ସେ ଏସ୍‌.ପିମାନଙ୍କୁ ପରାମର୍ଶ ଦେଇଛନ୍ତି।
ଆଲୋଚନାରେ ଭାଗନେଇ ପୁଲିସ ମହାନିର୍ଦ୍ଦେଶକ ଅଭୟ ପୁଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳାମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।
୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପୁଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ୟ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ୟ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଯେପରି ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍‌ ଜରିଆରେ ସମୁଦାୟ ୨୪ହଜାର ୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।
ବିଭିନ୍ନ ନିୟମ ଉଲଙ୍ଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜୋରିମାନା ଆଦାୟ କରାଯାଇଛି। ମାସ୍କ ବ୍ୟବହାର ଉଲଙ୍ଘନରେ ୧କୋଟି ୨୫ଲକ୍ଷ ୮୪ହଜାର ୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧ଲକ୍ଷ ୭୪ହଜାର ୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩ହଜାର ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧ଲକ୍ଷ ୩ହଜାର ୮ଶହ ଟଙ୍କା ଆଦାୟ କରାଯାଇଛି।
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ୟ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ୟ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଶ୍ରୀ ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୁଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୁଲିସ ଯେପରି କାର୍ୟ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୁଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ୟ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୁଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

Related posts

ପ୍ରସୂତୀ ମହିଳାଙ୍କ ପାଇଁ ଲକଡାଉନ ହେଲା କାଳ

mahabharatanews

ସଡକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

mahabharatanews

ବିଧାୟକ ଅମର ଶତପଥୀଙ୍କ ୪ କର୍ମଚାରୀ କରୋନା ପଜିଟିଭ

mahabharatanews