(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ବିଗତ ୫ ଦିନ ଧରି ଲଗାଣ ବର୍ଷା ଲାଗିରହିଛି । କାଲିମେଳା ବ୍ଲକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା ପାଣିରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଥିବା ଏକ ରାସ୍ତା ଧୋଇ ହୋଇଯାଇଛି । ଫଳରେ ପ୍ରାୟ ୭ଟି ଗାଁକୁ ଯାତାୟତ ବିଚ୍ଛିନ୍ନ ହୋଇଛି । ସୁଚନା ଅନୁଯାୟୀ, ବେଜାଙ୍ଗିବାଡା ଫଚାୟତର ଏମପିଭି -୨୦ ଗାଁ ନିକଟରେ ଏହି ପୋଲ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଖର ବନ୍ୟା ପାଣି ସୁଅରେ ପୋଲଟି ଭାଙ୍ଗି ଯାଇଥିବା ସ୍ଥାନୀୟ ଅଞ୍ଚଳର ଲୋକ ମାନେ କହିଛନ୍ତି । ଏହି ପୋଲ ନିର୍ମାଣ କାମ ପ୍ରାୟ ୧୦ ମାସ ତଳେ ଆରମ୍ଭ ହୋଇ ଅଧାରେ ବନ୍ଦ ହୋଇଯାଇଥିଲା । ଖାଲି ସିମେଣ୍ଟ ପାଇପ ବସାଇ ଉପରେ ମାଟି ଦିଆଯାଇଥିବାରୁ ପ୍ରାୟ ୧୫ ରୁ ୨୦ ଫୁଟ ଓସାରର ଘାଇ ସୃଷ୍ଟି ହୋଇଥିବା ବେଳେ ବନ୍ୟା ପାଣିରେ ସିମେଣ୍ଟ ପାଇବ ଗୁଡିକ ଧୋଇ ଯାଇଛି । ଯାହା ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଏମପିଭି-୨୦, ଏମପିଭି-୧୬ ଏବଂ ବାମନପାଲ୍ଲୀ ଗାଁକୁ ଯାତାୟତ ବିଚ୍ଛିନ୍ନ ହୋଇଛି । ପୋଲ ନିର୍ମାଣରେ ନିମ୍ନମାନର କାମ ପାଇଁ ଆଜି ଅଂଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଏମପିଭି ୨୦ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି । ଏଥିସହିତ ବନ୍ୟା ପାଣିରେ ପୋଲ ଭାଙ୍ଗିବା ଫଳରେ ଉକ୍ତ ପୋଲର ଉପରେ ଏବଂ ତଳ ଭାଗରେ ଥିବା ୩ ଚାଷିଙ୍କ ପ୍ରାୟ ୪ ଏକର ଜମିରେ ଧାନ ରୁଆ ନଷ୍ଟ ହୋଇଯାଇଚି । ଧାନ ଗଛ ଉପରେ ବାଲିଚର ମାଢ଼ି ଯାଇଥିବା ଦେଖିବାକୁ ମିଳିଛି । ତେଣେ ଉକ୍ତ ପୋଲକୁ ତୁରନ୍ତ ମରାମତି କରିବା ସହ କ୍ଷତି ସହିଥିବା ଚାଷୀ ମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି ।
previous post
next post
