(ମହାଭାରତ, ଚାନ୍ଦବାଲି): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧିନସ୍ଥ ଧାମରା ଝାଡକଟା ଲୁଣା ଜଙ୍ଗଲରେ ଗତ କିଛିଦିନ ଧରି ଏକ ବାରହା ଆତଙ୍କ ସୃଷ୍ଟି କରିଛି । ଗତ ସୋମବାର ଝାଡକଟା ଗାଁର ଗୋପାଳ ଜେନା ଓ ଅନ୍ୟ କିଛି ଲୋକ ବିଲରୁ ଘରକୁ ଫେରୁଥିବା ବେଳେ ପୋଖରୀ ହୁଡା ନିକଟରେ ବାରହାଟି ଗୋଡାଇ ଆକ୍ରମଣ କରିଥିଲା । ଫଳରେ ଗୋପାଳ ଏଥିରେ ଆହତ ହୋଇଛନ୍ତି । ତାଙ୍କ ବାମ ହାତରେ ଗଭୀର କ୍ଷତ ଲାଗିଥିବା ଜଣାପଡିଛି । ବାରହା ଆକ୍ରମଣ ବେଳେ ଅନ୍ୟ କିଛି ଲୋକ ସେଠାରୁ ଦୌଡି ପଳାଇବା ସମୟରେ ତଳେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି । ତେବେ ବାରହାଟି ପ୍ରାୟ ୩ ଫୁଟ ଉଚ୍ଚ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ବାରହା ଆକ୍ରମଣରେ ଆହତ ହୋଇଥିବା ଗୋପାଳଙ୍କୁ ପରିବାର ଲୋକେ ଧାମରା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, କାଳମଡାଇ ଜଙ୍ଗଲରୁ ୨ଟି ଜଙ୍ଗଲି ବାରହା ନଦୀ ପାର ହୋଇ ଆସି ଖାଦ୍ୟ ଅନ୍ୱେଶଣରେ ଜନବସତି ଆଡକୁ ମୁହାଁଇଥିବା ଜଣାପଡିଛି । ଗତ ୫ ଦିନ ଧରି ଚରଦିଆ ଓ ଧାମରା ନଦୀ କୂଳିଆ ଲୁଣା ଜଙ୍ଗଲରେ ଆତଙ୍କ ସୃଷ୍ଟି କରୁଥିବାରୁ ବାରହା ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ଥାନୀୟ ଗାଁ ଲୋକେ ବନ ବିଭାଗକୁ ଅନୁରୋଧ କରିଛନ୍ତି ।
previous post
next post