ଭୁବନେଶ୍ୱର/ସରୋଜ ରାଉତ: ଶେଷ ହେଲା ରାଜ୍ୟରେ ଦୁଇ ବିଧାନସଭା ମଣ୍ଡଳୀ ତିର୍ତ୍ତୋଲ ଓ ବାଲେଶ୍ୱର ସଦରର ନିର୍ବାଚନ ସରଗରମ । ଏବେ ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ଇଭିଏମ ମେସିନରେ ବନ୍ଦ ପଡିଛି । ଆସନ୍ତା ୧୦ ତାରିଖରେ ଜଣାପଡିବ କାହା ମୁଣ୍ଡରେ ବିଜୟଶ୍ରୀ ବିଜୟ ମୁକୁଟ ପିନ୍ଧାଇବେ । ତେବେ ନିର୍ବାଚନୀ ମଇଦାନରେ ସବୁ ନେତା ମନ୍ତ୍ରୀଙ୍କ ମାରାଥନ ପ୍ରଚାର ପରେ ଉଭୟ ଆସନ ବିଜେଡି ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଛି ।
ପୂର୍ବରୁ ତିର୍ତ୍ତୋଲ ଆସନ ବିଜେଡିକୁ ଯିବା ନେଇ ସମସ୍ତେ ଅବଗତ ଥିଲେ । କିନ୍ତୁ ବାଲେଶ୍ୱର ଆସନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ଟଣା ଓଟରା ଭିତରେ ଶେଷରେ ବିଜେଡି ଏହି ଆସନକୁ ଅକ୍ତିଆର କରିଥିôବା ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ବାଲେଶ୍ୱର ସଦର ଆସନ ଗତ ସାଧାରଣ ନିର୍ବାଚନରେ ବିଜେପି ଅକ୍ତିଆର କରି ନେଇଥିଲା । ସେଠା ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗ ପରେ ବିଜେପି ସେହି ଆସନରୁ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ଠିଆ କରାଇଛି ଲୋକଙ୍କ ସହାନଭୂତି ହାସଲ କରିବାକୁ । ଏହା ବ୍ୟତୀତ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଲୋକପ୍ରିୟତା ରହିଛି । ସେ ସେଠାରେ ନିର୍ବାଚନ ପ୍ରଚାର କରି ଲୋକଙ୍କୁ ବିଜେପି ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଏହା ସହ ସେଠାରେ ବିଜେପିର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାରିତା ଷଡଙ୍ଗୀ, ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ସେଠାରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ଚେଷ୍ଟା କରିଥିଲେ । ଲୋକଙ୍କ ସହାନଭୂତି ହାସଲ କରିବାକୁ ଦିବଙ୍ଗତ ବିଧାୟକଙ୍କ ପାଇଁ ପୋଡା ଟ୍ରାନ୍ସଫର୍ମ, ତାଙ୍କ ମୃତ୍ୟୁ ଏକ ସୁଯୋଗ ପରି ଦୁର୍ଭାଗ୍ୟପୂର୍ଣ୍ଣ ବୟାନକୁ ନେଇ ବିଜେପି ଲୋକଙ୍କ ସହାନଭୂତି ହାତେଇବାକୁ ସମସ୍ତ ପ୍ରୟାସ କରିଥିଲା । ବିଜେଡିର ଦାୟିତ୍ୱହୀନ ବୟାନକୁ ନେଇ ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକଙ୍କ ପୁଅ ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦିଥିବା ଦେଖିବାକୁ ମଧ୍ୟ ମିଳିଥିଲା । ସେହିପରି ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର ସମୟରେ ସେଠାର ଦାନ୍ତ କାଠି ଦୋକାନରୁ ଦାନ୍ତ କାଠି କିଣିବା, ଢାବାରେ ଯାଇ ରୁଟି ସେକିବା ପରି କାର୍ଯ୍ୟ କରି ଲୋକଙ୍କୁ ବିଜେପି ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ।
ସେହିପରି ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଦଳ ପାଇଁ ପ୍ରଚାର କରୁଥିଲେ ମଧ୍ୟ ସେଠାରୁ ବିଜେଡି ହାରିବା ପାଇଁ ସମସ୍ତ କାର୍ଯ୍ୟ କରିଥିଲେ । ପ୍ରାର୍ଥୀ ଚୟନରୁ ଆରମ୍ଭ ହୋଇଥିଲା ଦଳର ପରାସ୍ତ ପାଇଁ ରଣନୀତି ପ୍ରସ୍ତୁତି । ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଉସକା ଯାଇଥିଲା । ଲକ୍ଷ୍ୟ ଥିଲା ବିଜେଡିର ଜଣେ ଆଗଧାଡିର ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ତଳକୁ ଖସେଇବା । ବିଜେଡି ବିଜୟ ପାଇଁ ସବୁଠାରୁ ଅଧିକ ସହାୟକ ହୋଇଥିଲା କଂଗ୍ରେସ । କଂଗ୍ରେସ ସବୁ ଥର ପରି ଚଳିତ ଥର ମଧ୍ୟ ମଇଦାନକୁ ପ୍ରାର୍ଥୀ ଛାଡିଥିଲେ ମଧ୍ୟ ବିଜେଡି ସହ ରାଜ୍ୟ କଂଗ୍ରେସ ମୁଖ୍ୟ ଡିଲ କରିଦେଇଥିଲେ । ଫଳରେ କଂଗ୍ରେସର ସବୁ ଭୋଟ ବିଜେଡିକୁ ଚାଲିଗଲା, ଯାହା ବିଜେଡିକୁ ବିଜୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ରାଜନୀତି ବିଶେଷଜ୍ଞ କୁହନ୍ତି ।