କଣିହାଁ /ଜ୍ୟୋତିରଞ୍ଜନ ଧର: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଥାନା ଅଧୀନସ୍ଥ କୁମୁଣ୍ଡା ପଂଚାୟତ ଚିତଲପୁର ପାରବେଡା ସାହିରେ ଜଣେ ନାବାଳକ ତା’ର ସାବତ ମାଆକୁ ହତ୍ୟା କରିଥିବା ଜଣାପଡିଛି । ସାବତ ମାଆକୁ ହତ୍ୟା ପରେ ନାବାଳକ (୧୬ବର୍ଷ) ଜଣକ ସେଠାରୁ ଚମ୍ପଟ ମାରିଛି । ମୃତ ମହିଳା ଜଣଙ୍କ ହେଲେ ଚିତଲପୁର ଗାଁ ପାରବେଡା ସାହି ମନୁ ସାହୁଙ୍କ ପ୍ରଥମ ସ୍ତ୍ରୀ ସୁମତୀ ସାହୁ(୫୫ବର୍ଷ) । ଖବର ପାଇ କଣିହାଁ ପୁଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ରିପୋଟ୍ ଲେଖାଯିବା ପର୍ୟ୍ୟନ୍ତ ଅଭିଯୁକ୍ତ ନାବାଳକର ଟେର୍ ମିଳିନଥିବା ଜଣାଯାଇଛି ।
ଗତକାଲି ସନ୍ଧ୍ୟାରେ ଘରେ ସୁମତିଙ୍କୁ ଛାଡି କେହି ନ ଥିଲେ । ସୁମତୀ ଭାଗବତ ପଢୁଥିଲେ । ଏହି ସମୟରେ ସାବତ ପୁଅ ଘରେ ପଶି ସୁମତିଙ୍କୁ ଟଙ୍କା ଓ ସୁନା ଗହଣା ଭାଗ ଦେବାକୁ ଅଡିବସିଥିଲା । କିନ୍ତୁ ସୁମତୀ ସେଥିରେ ଅରାଜି ହୋଇଥିଲେ । ଫଳରେ ସାବତ ପୁଅ ଉତ୍ୟକ୍ତ ହୋଇ ବିଧା, ଗୋଇଠା ମାରିଥିଲା । ସେତିକିରେ ରାଗ ଶାନ୍ତ ନ ହେବାରୁ ସାବତ ମାଆର ଲୁଗା କାନୀରେ ତଣ୍ଟିକୁ ଚିପି ଦେଇଥିଲା । ଘଟଣାସ୍ଥଳରେ ସୁମତି ଟଳି ପଡିଥିଲେ । ଘର ଲୋକ ଜାଣିବା ବେଳକୁ ସୁମତଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ସାବତ ପୁଅ ଜଣକ ଡ୍ରଗ୍ସ ସେବନ କରିଆସୁଥିବା ସାଧାରଣରେ ମତ ପ୍ରକାଶ ପାଇଛି । ନିଶା ସେବନ ପାଇଁ ସବୁବେଳେ ନାବାଳକ ଜଣକ ପୂର୍ବରୁ ଅନେକବାର ମାଡପିଟ କରିଆସୁଥିବା ପ୍ରକାଶ। ତଦନ୍ତରେ ବାଧା ଉପୁଜିବ ବୋଲି ପୁଲିସ୍ ଗୋପନରେ ତଦନ୍ତ ଚଳାଇଥିବା ଜଣାଯାଇଛି । ଏନେଇ ମୃତ ମହିଳାଙ୍କ ଭାଇ ସାତ୍ରିବିଡା ଗାଁର ପରମାନନ୍ଦ ସାହୁ କଣିହାଁ ଥାନାରେ ଅଭିଯୋଗ କରିଛନ୍ତି। କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠି, ପାଲଲହଡା ଏସ୍ଡିପିଓ ଯୋଶବନ୍ତ ସାମଲ ତଦନ୍ତ ଚଳାଇଥିବା ପ୍ରକାଶ ।
ସୁମତୀ ମନୁଙ୍କ ପ୍ରଥମ ସ୍ତ୍ରୀ । ସୁମତିଙ୍କର କୈାଣସି ସନ୍ତାନ/ସନ୍ତତି ନହେବାରୁ ସେ ଦ୍ୱୀତିୟ ସ୍ତ୍ରୀ ଗ୍ରହଣ କରିଥିଲେ ।