(ମହାଭାରତ, ଗୋପ): କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ପୁରୀ ଜିଲ୍ଲାର ଗୋପ ବ୍ଳକରେ ଫେଲ ମାରିଛି । ସରକାରଙ୍କ ବାହ୍ୟ ମଳମୁକ୍ତ ଆଶା ବାଟବଣା ହୋଇଛି । ପାଇଖାନାର କୌଣସି ଚିହ୍ନ ବର୍ଣ୍ଣ ନଥାଇ ମୃତ ବ୍ୟକ୍ତିଙ୍କୁ ହିତାଧିକାରୀ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଛି ।
ପୁରୀ ଜିଲ୍ଲା ଗୋପ ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାର ଏକ ସାଂଘାତିକ ଚିତ୍ର ଲୋକ ଲୋଚନକୁ ଆସିଛି । ପାଇଖାନା ର୍ନିମାଣରେ ଆଖିବୁଜା ଦୁର୍ନୀତି ହୋଇଥିବା ବେଳେ ଅସାଧୁ ଅଧିକାରୀ, ଦଲାଲ, କେତେକ କୁଜି ନେତା ମିଳିତ ଭାବେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା-ଇଛାପୁର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କୁ ପାଇଖାନା ଯୋଗାଯାଇ ସେମାନଙ୍କ ନାମରେ ଜାଲି ବିଲ୍ କଟାଯାଇଥିବା ବେଳେ କେତେକ ହିତାଧିକାରୀଙ୍କ ନାମରେ ଏକାଧିକ ବିଲ୍ ହୋଇଥିବା ଦେଖାଯାଇଛି । ଏହାକୁ ନେଇ ସାରା ବ୍ଲକରେ ହଟଚମଟ ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଅଣ୍ଡରା -ଇଛାପୁର ପଞ୍ଚାୟତ ଅଢଙ୍ଗାସାହି ଗ୍ରାମର ମହେଶ୍ୱର ବେହେରା ଗତ ୨୦୧୫ ମସିହାରେ ମୃତ୍ୟୁ ବରଣ କରିଥିଲେ । ଏବେ ତାଙ୍କ ନାମରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ତିଆରି ହୋଇଛି । ସେହିପରି ତରଡାପଡା ଗ୍ରାମର ବୁଲା କାଣ୍ଡି, ରବିନ୍ଦ୍ର କାଣ୍ଡିଙ୍କ ପାଇଖାନାର କୈଣସି ଚିହ୍ନ ବର୍ଣ୍ଣ ନଥାଇ ସେମାନଙ୍କ ନାମରେ ବିଲ୍ କଟାଯାଇଥିବା ଅଭିଯୋଗ ହୋଇଛି । ବାସୁଦେବ ପଟ୍ଟନାୟକଙ୍କ ନାମରେ କୋଣସି ପାଇଖାନା ନଥାଇ ତାଙ୍କ ଅଜାଣତରେ ବିଲ୍ କଟାଯାଇ ଟଙ୍କା ହଡପ ହୋଇଛି । ଏପରିକି ଅନେକ ବ୍ୟକ୍ତି ଦୀର୍ଘ ଦିନ ହେଲା ରାଜ୍ୟ ବାହାରେ ରହୁଥିବା ବେଳେ ସେମାନଙ୍କ ନାମରେ ମଧ୍ୟ ବିଲ୍ କରାଯାଇଛି । କିନ୍ତୁ ସେମାନଙ୍କ ପାଇଖାନାର ଚିହ୍ନ ର୍ଣ ଦେଖିବାକୁ ମିଳୁନାହିଁ । ଅନ୍ୟପକ୍ଷରେ କେତେକ ବ୍ୟକ୍ତିଙ୍କ ନାମ ସରକାରୀ ତାଲିକାରେ ମୃତ ବୋଲି ଉଲ୍ଲେଖ ଥିବା ବେଳେ ତାଙ୍କ ନାମରେ ବେଆଇନ ଭାବେ ତାଙ୍କ ସଂପର୍କୀୟ ଓ ଅନ୍ୟ ବ୍ୟକ୍ତିଙ୍କୁ ପାଇଖାନା ଯୋଗାଇ ଦିଆଯାଇଛି । ସରକାର ପ୍ରକୃତ ହିତାଧିକାରୀଙ୍କୁ ପ୍ରତି ପାଇଖାନା ପିଛା ୧୨ହଜାର ଟଙ୍କା ଦେଉଥିବା ବେଳେ କିଛିି ଦଲାଲ ମାନେ ବିଭାଗୀୟ ଅଧିକାରୀମାନଙ୍କୁ ହାତବାରିସି କରି ୭ରୁ ୯ହଜାର ଟଙ୍କା ଦେଇ ଅବଶିଷ୍ଟ ଅର୍ଥ ଚଳୁ କରୁଥିବା ଅଭିଯୋଗ ହୋଇଛି ।
ସମୁଦାୟ ୮୬୨ ବେସଲିଷ୍ଟରୁ ପ୍ରାୟ ୫ଶହ ହିତାଧିକାରୀଙ୍କ ପାଇଖାନା ଥିବା ବେଳେ ବହୁ ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ନିର୍ମାଣ କରାଯାଇ ବିଭାଗୀୟ ଅଧିକାରୀ ଓ ଦଲାଲ ସରକାରୀ ଅର୍ଥ ହଡପ କରିଛନ୍ତି । ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ କାଗଜ କଲମରେ ତରଡାପଡା ଗ୍ରାମରେ ୨୬ଜଣ ହିତାଧିକାରୀଙ୍କ ପାଇଖାନା ତିଆରି କରାଯାଇଥିବା ଦର୍ଶାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି । ଏହା ବାବଦ ଅର୍ଥ ଉଠାଣ କରାଯାଇଥିବା ବେଳେ ଉକ୍ତ ଗ୍ରାମରେ ୨୬ ବଦଳରେ ମାତ୍ର ୬ଟି ପାଇଖାନା ଥିବା ଦେଖିବାକୁ ମିଳିଛି । ସେହିପରି ଅଡଙ୍ଗାସାହି ଗ୍ରାମରେ ୧୪୨ଟି ପାଇଖାନାରୁ ବାସ୍ତବରେ ମାତ୍ର ୩୦ଟି ପାଇଖାନା ର୍ନିମାଣ ହୋଇଥିବା ଜଣାପଡ଼ିଛି ।
ପୁରୀ ଜିଲ୍ଲା ଗୋପ ବ୍ଲକ ରେ ସରକାରଙ୍କ ସ୍ୱଛଭାରତ ଅଭିଯାନ ଯୋଜନା ବାଟବଣା ହୋଇଛି । ଏହି ଯୋଜନାରେ ପ୍ରଶାସନ କେବଳ କାଗଜ କଲମରେ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛି । ୨୦୧୯ ସୁଦ୍ଧା ରାଜ୍ୟରେ ୭୦ ପ୍ରତିଶତ ଘରକୁ ପାଇଖାନା ଦିଆଯାଇଥିବା ଦର୍ଶାଯାଇଛି । ସ୍ୱଛଭାରତ ଯୋଜନାରେ ପାଇଖାନା ର୍ନିମାଣ କେବଳ ଫଟୋ ଉଠାରେ ହିଁ ସିମୀତ ରହିଛି । ଯାହାକି ଗୋପ ବ୍ଳକର ଅଣ୍ଡରା-ଇଛାପୁର ପଞ୍ଚାୟତ କୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି । ବିଭାଗୀୟ ଯନ୍ତୀ, ଦଲାଲ ଏବଂ ପାଇଖାନା ର୍ନିମାଣ କରୁଥିବା କେତେକ ସ୍ୱୟଂସହାୟକ ଗୋଷ୍ଠୀ ଏହି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ବେଳେ ସେମାନଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାଯାଇଛି । ତେବେ ପ୍ରକୃତ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ କେବେ ପାଉଛନ୍ତି, ଏସଂପର୍କରେ ଗୋପ ବିଡିଓଙ୍କୁ ପ•ରିବାରୁ ତାଙ୍କ ନିକଟରେ ପାଇଖାନା ଦୁର୍ନୀତି ନେଇ କୌଣସି ଅଭିଯୋଗ ନାହିଁ । ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।