(ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭା ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଛି । ଏହା ପୂର୍ବରୁ ବିଜେପି ସମେତ ସବୁ ଦଳର ଷ୍ଟାର ପ୍ରଚାରକମାନେ ଦିଲ୍ଲୀରେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚଳାଇଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି (କୋଡ୍ ଅଫ୍ କଣ୍ଡକ୍ଟ) ଉଲଂଘନ ଅଭିଯୋଗ ହୋଇଛି । ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଯୋଗୀଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ ଓ ତାଙ୍କ ନାଁରେ ମାମଲା ରୁଜୁ କରିବାକୁ ଆପ୍ ପକ୍ଷରୁ କୁହାଯାଇଛି । ନିର୍ବାଚନ ପାଇଁ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ପାକିସ୍ତାନ ସହ ସମ୍ପର୍କ ରହିଥିବା ଯୋଗୀ ଦର୍ଶାଇଥିଲେ ବୋଲି ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି । ଯଦି ଏହି କଥାର ସତ୍ୟତା ଥାଏ, ତେବେ ଯୋଗୀ ଏହାକୁ ପ୍ରମାଣ କରି ଦେଖାନ୍ତୁ ବୋଲି ସେ କହିଛନ୍ତି । ଏଭଳି ଆପତ୍ତିଜନକ ମନ୍ତବ୍ୟ ପାଇଁ ତାଙ୍କୁ ଗିରଫ କରାଯାଉ ବୋଲି ସଞ୍ଜୟ ଦାବି କରିଛନ୍ତି । ଏହାସହ ଦିଲ୍ଲୀରେ ଯୋଗୀଙ୍କ ନିର୍ବାଚନୀ ପ୍ରଚାର ଉପରେ ରୋକ ଲଗାଇବାକୁ ସଞ୍ଜୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି ।
previous post
next post
