ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୧୮ ମାସ ବନ୍ଦ ପରେ ଆରମ୍ଭ ହେଲା ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। ଆଜିଠୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଏହି କ୍ଲାସ ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ ଚାଲିବ। ଛୋଟ ପିଲାଙ୍କ ଟୀକାକରଣ ହୋଇନଥିବା ବେଳେ ସଂକ୍ରମଣ ହ୍ରାସ ପାଇଥିବାରୁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରାଯାଇଛି । ତେଣୁ କୋଭିଡ୍ କଟକଣାକୁ କଡକଡି ପାଳନ କରାଯାଉଛି। ପିଲାଙ୍କ ସିଟ ଆରେଞ୍ଜମେଣ୍ଟଠାରୁ, ମାସ୍କ ପରିଧାନ, ସାନିଟାଇଜେସନ ଆଦି ଉପରେ ଗୁରୁତ୍ୱାରୋପ କରାଯାଇଛି । ଦୀର୍ଘ ମାସ ପରେ ସ୍କୁଲ ଖୋଲିଥିବାରୁ ପିଲାଙ୍କ ମଧ୍ୟରେ ଦେଖାଦେଇଛି ଖୁସି ।
ସ୍କୁଲରେ ଭୟମୁକ୍ତ ବାତାବରଣ ପାଇଁ ଶିକ୍ଷକମାନେ ଚେଷ୍ଟା କରିବେ। ମଧ୍ୟାହ୍ନ ଭୋଜନ ବଦଳରେ ଶୁଖିଲା ଖାଦ୍ୟ ଦିଆଯିବ । ପ୍ରଥମ ଦୁଇଦିନ କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ। ପାଠପଢ଼ା ନେଇ ଆଲୋଚନା କରିବେ ଶିକ୍ଷକ ଓ ପରିଚାଳନା କମିଟି। ୨୭, ୨୮, ୨୯ରେ ସ୍ୱତନ୍ତ୍ର ପରୀକ୍ଷା ଜରିଆରେ ଶିକ୍ଷଣ ସ୍ତର ଆକଳନ ହେବ। ଆକଳନ ପରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷାଦାନ ହେବ।