Uncategorized

ରାମ ମନ୍ଦିର ଟ୍ରଷ୍ଟ ଗଠନ, ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ରହିବେ ଜଣେ ଦଳିତ

(ନୂଆଦିଲ୍ଲୀ): କେନ୍ଦ୍ର ସରକାର ବୁଧବାର ରାମ ମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତି । ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାରେ ରାୟ ଦେବାର ୮୭ ଦିନ ପରେ ଏହି ଟ୍ରଷ୍ଟ ଗଠନ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ରାମ ଜନ୍ମଭୁମୀ ସହିତ ଜଡିତ ପ୍ରସଙ୍ଗ ବାବଦରେ ଯୋଜନା ପ୍ରସ୍ତୁତ କରୁଥିବା ସେ ଲୋକସଭାକୁ ଅବଗତ କରାଇଛନ୍ତି । ମନ୍ଦିର ତିଆରି ପାଇଁ କୋର୍ଟ ଯେଉଁ ଟ୍ରଷ୍ଟ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତା’ର ନାମ ‘ଶ୍ରୀରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର’ ହେବ । ଏହି ଟ୍ରଷ୍ଟ ମନ୍ଦିର ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବ ବୋଲି ମୋଦି କହିଛନ୍ତି । ବୁଧବାର ଲୋକସଭାକୁ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ହୋଇଥିଲା । ଏଥିରେ ରାମ ମନ୍ଦିର ଟ୍ରଷ୍ଟ ଗଠନ ବାବଦରେ ନିଷ୍ପତ୍ତି ନିଆଯାଇଥିଲା । ଟ୍ରଷ୍ଟ ଗଠନ ବିଷୟରେ ଘୋଷଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୬୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦିଆଯାଇଛି । ଏଭଳି ଐତିହାସିକ କ୍ଷଣରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ ପାଇଁ ଏକ ସ୍ୱରରେ ସମର୍ଥନ ଜଣାଇବା ଉଚିତ ବୋଲି ଲୋକସଭା ସଦସ୍ୟମାନଙ୍କୁ କହିଥିଲେ । ଏହି ଅବସରରେ ସଂସଦରେ ଜୟ ଶ୍ରୀ ରାମ ନାରା ଲାଗିଥିଲା ।

ତେବେ ଏହି ୬୭ ଏକର ଜମି ସହିତ ୨.୫ ଏକର ବିବାଦୀୟ ଜମି ମଧ୍ୟ ଶ୍ରୀରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନ୍ତର୍ଭୁକ୍ତ ହେବ । ଏଣିକି ମନ୍ଦିର ନିର୍ମାଣ ତଥା ଏହା ସହିତ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଟ୍ରଷ୍ଟ ବହନ କରିବ । ସେହିପରି ଟ୍ରଷ୍ଟରେ ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣର ଶୈ÷ଳୀ, ଆର୍ଥିକ କ୍ଷମତା ଉପରେ ନଜର ରଖିବ । ଟ୍ରଷ୍ଟରେ କେଉଁମାନେ ସଦସ୍ୟ ରହିବେ ଏନେଇ ସରକାର ନିଷ୍ପତ୍ତି ନେବେ । ତେବେ ଟ୍ରଷ୍ଟ ମୁଖ୍ୟ କିଏ ହେବ ତାହା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ତେବେ ରାମ ଜନ୍ମଭୁମୀ ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଟ୍ରଷ୍ଟରେ ଦିଗମ୍ବର ଆଖଡା, ନିର୍ମୋହି ଆଖଡା ଏବଂ ରାମଲାଲାଙ୍କ ପକ୍ଷରୁ ଜଣେ ଲେଖାଏଁ ସଦସ୍ୟ ରହିବେ ।

ଏହାସହ ଟ୍ରଷ୍ଟରେ ୧୫ ଜଣ ଟ୍ରଷ୍ଟି ରହିବେ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି କହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଏସସି-ଏସଟି ବର୍ଗର ଟ୍ରଷ୍ଟି ମଧ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାର ରାୟ ପ୍ରକାଶ କରିଥିଲେ । ରାୟ ଶୁଣାଣି ବେଳେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ୩ ମାସ ସମୟ ଦିଆଯାଇଥିଲା । ଏହି ସମୟସୀମା ପୂରଣ ପୂର୍ବରୁ ଟ୍ରଷ୍ଟ ଗଠନ ସମ୍ପର୍କରେ ବୁଧବାର ଲୋକସଭାରେ ଘୋଷଣା କରାଯାଇଛି । ସେହିପରି ଅଯୋଧ୍ୟାର ଯେକୌଣସି ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related posts

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

mahabharatanews

ମୋହନ ସରକାରରେ ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’

mahabharatanews

Leave a Comment