ଓଡିଶା

ରୋଗୀ ମୃତ୍ୟୁ ପାଇଁ ଡାକ୍ତରଖାନାରେ ଉତ୍ତେଜନା, ଭୁଲ ଚିକିତ୍ସା ଅଭିଯୋଗ

(ମହାଭାରତ, ବାରିପଦା): ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ (ପିଆରଏମ)ରେ ଜଣେ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତକ ଜଣକ ବାରିପଦା ସହରର ପୁରୁଣା ହାଟସାହିର ମମତା ବିଶ୍ୱାଳ ବୋଲି ଜଣାପଡିଛି । ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ଏଭଳି ହୋଇଥିବା ଅଭିଯୋଗ ଆଣି ରୋଗୀଙ୍କ ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଛନ୍ତି । ତେବେ ରୋଗୀଙ୍କ ମୃତ୍ୟୁ ପାଇଁ ତାଙ୍କର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ମମତା ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ପିଆରଏମ ମେଡିକାଲର ମେଡିସିନ ବିଭାଗରେ ୬ ଦିନ ଧରି ଚିକିତ୍ସାଧୀନ ରହିଥିଲେ । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ପରିବାର ଲୋକେ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ ଡାକିଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ତେ୍ୱ ତାଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ଓ ନର୍ସ ୱାର୍ଡକୁ ଆସିବାରେ ବିଳମ୍ବ କରିଥିଲେ । ବହୁ କାକୁତି ମିନତୀ ପରେ ଡ୍ୟୁଟିରେ ଥିବା ଡାକ୍ତର ତରବରିଆ ଭାବେ ଆସି ରୋଗୀଙ୍କୁ ଇଞ୍ଜେକସନ ଦେଇଥିଲେ । ତେବେ ଇଞ୍ଜେକସନ୍ ଦେବା ପରେ ରୋଗୀ ମମତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ରୋଗୀଙ୍କ ପରିବାର ଓ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଗଣ୍ଡଗୋଳ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ପରେ ପୋଲିସ ଆସି ସେଠାରେ ପହଞ୍ଚିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ତଥାପି ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଣୁ ଡ୍ୟୁଟିରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋଗୀଙ୍କ ପରିବାର ଲୋକେ ଦାବି କରିଛନ୍ତି ।

Related posts

ଅଚାନକ ଜନ ଶତାବ୍ଦୀ ଏକ୍ସପ୍ରେସରେ ନିଆଁ

mahabharatanews

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ  

mahabharatanews

ସନ୍ଧ୍ୟାରେ ବର୍ଷା ସମ୍ଭାବନା, ଘରୁ ନ ବାହାରିବାକୁ ପରାମର୍ଶ

mahabharatanews