ଅପରାଧ

ଲୁଟେରା ଗ୍ୟାଙ୍ଗକୁ କାବୁ କରି ବିପୁଳ ସାମଗ୍ରୀ ଜବତ କଲା ପୁଲିସ

ଭୁବନେଶ୍ୱର/ଶିଳାସ୍ମିତା ରାୟ: ନିକଟ ଅତୀତରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ଲୁଟ, ଚୋରି, ଛିନତାଇ ପରି ଅନେକ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗ ଆଧାରରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ଶେଷରେ ଏଥିରେ ପୁଲିସକୁ ବଡ ଧରଣର ସଫଳତା ମିଳିଛି । ମୁଖ୍ୟତଃ ଖଣ୍ଡଗିରି, ଖାରବେଳ ନଗର, ସହିଦ ନଗର ଓ ସ୍ପେଶାଲ ସ୍କ୍ୱାଡର ମିଳିତ ଉଦ୍ୟମରେ ଆଜି ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କ ସହ ସେମାନଙ୍କଠାରୁ ଚୋରା ସାମଗ୍ରୀ କିଣୁଥିବା ୫ ଜଣଙ୍କୁ ଧରାଯାଇଛି । ଏଥିରେ ପୁଲିସକୁ ବହୁ ସଂଖ୍ୟାରେ ମୋବାଇଲ, ଲ୍ୟାପଟପ, ମୋଟରସାଇକେଲ ଆଦି ମିଳିଛି । ଆଜି ପୁଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭୁବନେଶ୍ୱର ଚକେଇସିଆଣୀର ରଞ୍ଜନ ଶତପଥୀ (୨୦), ଖାରବେଳ ନଗର, ମାଳି ସାହିର ସଂଜୟ ବେହେରା (୨୩), ପୁରୀ ନିମାପଡାର ମଣ୍ଟୁ ପାଇକରାଏ (୩୫) ଚୋରି କରିଥିବା ବେଳେ ସାମନ୍ତରାପୁରର ଚନ୍ଦନ ପ୍ରଧାନ (୨୭), ଖୋର୍ଦ୍ଧା ଗୁରୁଜଙ୍ଗ ଟାଙ୍ଗୀ ସାହିର ଭାଗବତ ପ୍ରସାଦ ମହାପାତ୍ର (୩୨), ପୁରୀ ନିମାପଡାର ସେଖ ଜାବେଦ (୩୭), ପୁରୀ ଗୋପ ଅଞ୍ଚଳର ଆଲୋକ ବେହେରା (୨୮) ଓ ନିମାପଡା ଚନାର ପଡାର ପ୍ରଦୀପ ଦାସ (୩୩)ଙ୍କୁ ବିକ୍ରିକରୁଥିଲେ । ଏମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୭୦ଟି ସ୍ମାର୍ଟ ଫୋନ, ୨୩ଟି ଲ୍ୟାପ୍ଟପ୍, ୯ଟି ବାଇକ ଓ ୨ଟି ଏଲଇଡି ଟିଭି ଜବତ କରାଯାଇଛି ।
ଏହି କାମରେ ଦୁଇଟି ଅପରାଧୀ ଗ୍ୟାଙ୍ଗ କାମ କରୁଥିଲେ । ଗୋଟିଏ ଗ୍ୟାଙ୍ଗ ଖଣ୍ଡଗିରି, ତମାଣ୍ଡ ଅଞ୍ଚଳରେ ସକ୍ରିୟ ରହିଆସୁଥିଲା । ସେମାନେ ଏହି ଅଞ୍ଚଳରୁ ଲ୍ୟାପଟପ, ମୋବାଇଲ ଫୋନ ଚୋରି କରି ଅନ୍ୟମାନଙ୍କୁ ବିକ୍ରି କରୁଥିବା ବେଳେ ଅନ୍ୟ ଗ୍ୟାଙ୍ଗର ସଦସ୍ୟ ରାସ୍ତାରେ ଲୋକଙ୍କଠାରୁ ମୋବାଇଲ, ଲ୍ୟାପଟପ, ମୋଟରସାଇକେଲ ଆଦି ଛିନତାଇ କରୁଥିଲେ । ମୁଖ୍ୟତଃ ବଡି ସକାଳେ ଏମାନେ ସକ୍ରିୟ ଥିଲେ, କାରଣ ଏହି ସମୟରେ ଲୋକ ଗହଳୀ ନ ଥାଏ । ଏମାନଙ୍କ ନାମରେ ଖାରବେଳ ଥାନାରେ ୩ଟି ମାମଲା ଥିବା ବେଳେ ଖଣ୍ଡଗିରି ଥାନାରେ ୬ଟି, ଜଟଣୀ ଥାନାରେ ଗୋଟିଏ, ଏୟାର ଫିଲ୍ଡ ଥାନାରେ ଗୋଟିଏ ମାମଲା ରହିଛି ।

Related posts

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ପୁଣି ମ୍ୟାଜିକ ପେନରେ ଠକେଇ

mahabharatanews

ଭତ୍ତା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

mahabharatanews