ଭୁବନେଶ୍ୱର: ମମିତା ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ ହେଉଛି । ବିରୋଧୀ ଚଳାଇଛନ୍ତି ଆନ୍ଦୋଳନ, ବିକ୍ଷୋଭ, ପ୍ରଦର୍ଶନ । ମନ୍ତ୍ରୀଙ୍କ ନିରବତାକୁ ନେଇ ଉଠିଛି ପ୍ରଶ୍ନ । ତେଣୁ ଆଜି ଶେଷରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ପ୍ରେସ ବିବୃତ୍ତି ମାଧ୍ୟମରେ ଦେଇଛନ୍ତି ନିଜ ବୟାନ । ମମିତା ମେହେର ହତ୍ୟା ଘଟଣା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏଥିରେ ମୁଁ ମର୍ମାହତ । ମୋର ମମିତାଙ୍କ ପରିବାର ପ୍ରତି ରହିଛି ଗଭୀର ସମବେଦନା । ଯଦି ମୋ ବିରୋଧରେ କିଛି ପ୍ରମାଣ ରହିଛି ପୁଲିସ କୋର୍ଟରେ ଦାଖଲ କରୁ ।
ଆଜି ମନ୍ତ୍ରୀ ପ୍ରେସ ବିବୃତ୍ତି ମାଧ୍ୟମରେ ଦେଇଛନ୍ତି ଉତ୍ତର । ମୁଁ ଜଣେ ଜନ ପ୍ରତିନିଧି । ଶିକ୍ଷାନୁଷ୍ଠାନକୁ ନିମନ୍ତ୍ରିତ ହୋଇ ଯାଇଛି । କିନ୍ତୁ ପଛରେ ସେଠାରେ କିଛି ଅଘଟଣ ଘଟିଲେ ମୋତେ ଦାୟୀ କରାଯିବା କେତେଦୂର ଯଥାର୍ଥ । ମୋ ନାଁରେ ମିଛ ପ୍ରଚାର ହେଉଛି । ମୋର ଚରିତ୍ର ସଂହାର କରାଯାଉଛି । କିଛି ଗଣମାଧ୍ୟମ ମୋର ସମ୍ମାନ ହାନୀ କରୁଛନ୍ତି । ଏନେଇ ସେସବୁ ଗଣମାଧ୍ୟମ ନାମରେ ମାନହାନୀ ମକଦ୍ଦମା କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହ ମନ୍ତ୍ରୀ କହିଛନ୍ତି, ମୁଁ ସେନା ଆଦର୍ଶରେ ଅନୁପ୍ରାଣିତ ।
