(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କର ପରଲୋକ ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାମନାଗୁଡା-ଗୁଣୁପୁର ରାସ୍ତାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ତାଣ୍ଡିକଣା ଛକ ପର୍ଯ୍ୟନ୍ତ ନିଜ ଇନୋଭାରେ ଯାଇ ସେଠାରୁ ରାମନାଗୁଡା ଅଭିମୁଖେ ଯାଉଥିବା ବେଳେ ହଠାତ ନିଜର ଭାରସାମ୍ୟ ହରାଇ ଗାଡିରୁ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୁଧବାର ସକାଳେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ରାୟଗଡା ଜିଲ୍ଲା ଦୌରାଜଜ୍ ଗତ ମଙ୍ଗଳବାର ଅସିଦ୍ଧ ଘୋଷଣା କରିଥିଲେ । ଉକ୍ତ ନିର୍ବାଚନରେ ପରିଷଦର ଅଧ୍ୟକ୍ଷ ଭାବେ କଂଗ୍ରେସରୁ ପୁରୁଷୋତ୍ତମ ନିର୍ବାଚିତ ହୋଇଥିଲେ । କିନ୍ତୁ ନିର୍ବାଚନକୁ କୋର୍ଟ ରଦ୍ଧ କରିବା ପରେ ତାଙ୍କର ପଦ ଚାଲିଯାଇଥିଲା । ପୂର୍ବରୁ ଏହି ମାମଲାରେ ସେ ହାଇକୋର୍ଟକୁ ଯାଇଥିଲେ । ୩ ମାସ ଭିତରେ ରାୟ ପ୍ରକାଶ କରିବାକୁ ଜିଲ୍ଲା ଜଜ୍ଙ୍କୁ ଗତ ସେପ୍ଟେମ୍ବରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଜଜ୍ ପୁଣି ଥରେ ମାମଲାର ଶୁଣାଣି କରି ସାକ୍ଷ୍ୟ ଗ୍ରହଣ ପରେ ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁଣି ଥରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଘରକୁ ଫେରିବା ବାଟରେ ପୁରୁଷୋତ୍ତମ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।