(ମହାଭାରତ, ଗୋପ): ଗତବର୍ଷ ମେ ମାସରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀକୁ ୮ମାସ ବିତିଛି । କିନ୍ତୁ ଏବେ ବି ଅସହାୟ ଅବସ୍ଥାରେ ଭଙ୍ଗା କୁଡିଆ, ପଲିଥିନ୍ ତଳେ ପିଲା ଛୁଆଙ୍କୁ ଧରି ପଡି ରହିଛନ୍ତି ଅନେକ ବିପନ୍ନ । ଏମାନଙ୍କୁ ନା ମିଳୁଛି ସରକାରଙ୍କ ସହାୟତା ନା ସେମାନେ ଗଢି ପାରୁଛନ୍ତି ଘଟଟିଏ । ସରକାରଙ୍କ ଆବାସ ଯୋଜନା ସେମାନଙ୍କ ପାଇଁ ପାଲଟିଛି ସାତ ସପନ । ଭଙ୍ଗା କୁଡିଆ ରେ ପିଲାଛୁଆଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଖରା ବର୍ଷା ଶୀତ କାକର ରେ ଦୀର୍ଘ ମାସ ହେଲା ପଡିରହିଛନ୍ତି ଏହି ବାତ୍ୟା ବିପନ୍ନମାନେ । ପୁରୀ ଜିଲ୍ଲା ଗୋପ ବ୍ଲକ ବୀରତୁଙ୍ଗ ପଞ୍ଚାୟତ ଗିରିମା ଗାଁରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଳୟଙ୍କାରୀ ବାତ୍ୟା ଫନୀରେ ପୁରୀ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଳକର ବିଭିନ୍ନ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଳକର ହଜାର ହଜାର ଲୋକ ଘର ଦ୍ୱାର ହରାଇଥିବା ବେଳେ ସରକାରଙ୍କ ପକ୍ଷରୁ ମିଳିଥିବା ରିଲିଫ ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହୋଇଛି । ସରକାରୀ ଯୋଜନାଗୁଡିକରୁ ପ୍ରକୃତ ବିପନ୍ନ ମାନେ ବାଦ୍ ପଡିଛନ୍ତି । ତେବେ ଘର ଦ୍ୱାର ହରାଇ ଥିବା ବାତ୍ୟା ବିପନ୍ନମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ସରକାର ନିର୍ଦେଶ ଦେବା ପରେ ରାଜସ୍ୱ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା । ମାତ୍ର ଏଥିରେ ବ୍ୟାପକ ଅନିୟମିତତା ମଧ୍ୟ ଦେଖାଯାଇଥିଲା । ଦଲାଲ ଓ ଦୁର୍ନୀତିଗ୍ରସ୍ତ କର୍ମ•ରୀ ଙ୍କ ଯୋଗୁଁ ପ୍ରକୃତ ବିପନ୍ନ ମାନେ ବାଦ ପଡିଥିଲେ । ଏପରିକି ଏଠାରେ ଦୁର୍ନୀତି କରି ଜଣେ ରାଜସ୍ୱ ନିରୀକ୍ଷକ ମଧ୍ୟ ନିଲମ୍ବିତ ହୋଇଥିବା ନଜିର ରହିଛି । ତେବେ ବାତ୍ୟା ପରେ ଧନୀ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନାର ଅନ୍ତର୍ଭୁକ୍ତ କରାଯାଇଥିବାରୁ ପ୍ରକୃତ ହିତାଧିକାରୀମାନେ ଯୋଜନାରେ ସାମିଲ ହୋଇ ନପାରି ଭଙ୍ଗାରୁଜା କୁଡିଆରେ ଜୀବନ ବିତାଉଛନ୍ତି । ଏହାକୁ ନେଇ ପ୍ରକୃତ ବାତ୍ୟା ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ଯୋଜନା ଯୋଗାଇ ନପାରି ଏମାମାନଙ୍କ ପ୍ରତି ପ୍ରଶାସନ ଏକ ପ୍ରକାର ଆଖି ବୁଜି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସରକାରୀ ଆବାସ ଯୋଜନା ପାଇଁ ନେଇ ଶହ ଶହ ବିପନ୍ନ ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ଏଯାଏ ମିଳିପାରିନାହିଁ । ଫଳରେ ଏବେ ବି ଲୋକେ ଭଙ୍ଗା କୁଡିଆରେ ପଲିଥିନ ତଳେ କେବଳ ଭଗବାନ ଙ୍କୁ ଭରସା କରି ପଡି ରହିଥିବା ଦେଖାଯାଇଛି ।
previous post
next post
