(ମହାଭାରତ, ଫିରୋଜାବାଦ): ନାଗରିକତା ସଂଶୋଧନ ଆଇନ ବିରୋଧରେ ଫିରୋଜାବାଦରେ ବିକ୍ଷୋଭକାରୀଙ୍କ ହିଂସା ପ୍ରଦର୍ଶନ ବେଳେ ଜଣେ କନଷ୍ଟେବଲଙ୍କ ଉପରକୁ ଗୁଳିମାଡ ହୋଇଥିଲା । କିନ୍ତୁ ଏଥିରେ ସେ ମୃତ୍ୟୁ ମୁଖରୁ ଖସି ଆସି ଦ୍ୱିତୀୟ ଜୀବନ ପାଇଛନ୍ତି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଫିରୋଜାବାଦରେ ସିଏଏକୁ ବିରୋଧ କରି ହୋଇଥିବା ହିଂସକ ପ୍ରଦର୍ଶନ ସମୟରେ କନଷ୍ଟେବଲ ବିଜେନ୍ଦର କୁମାରଙ୍କୁ ଏକ ଗୁଳି ବାଜିଥିଲା । ଗୁଳିଟି ସେ ପିନ୍ଧିଥିବା ବୁଲେଟ୍ ପ୍ରୁଫ ଜ୍ୟାକେଟ ପାର କରିଥିବା ସତ୍ତେ୍ୱ ସାର୍ଟ ପକେଟରେ କଏନ ଭର୍ତ୍ତି ଏକ ପର୍ସରେ ବାଜିଥିଲା । ଯାହା ଦ୍ୱାରା ସେ ନିଶ୍ଚିତ ମୃତ୍ୟୁ ମୁଖରୁ ଫେରି ଆସିଛନ୍ତି । ତେବେ ସେ ରଖିଥିବା ପର୍ସରେ ଭଗବାନ ଶିବଙ୍କ ଫଟୋ ସମେତ କିଛି କଏନ ରଖିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।
ବିଜେନ୍ଦର ପିରୋଜାବାଦ ଏସପିଙ୍କ ଏସ୍କର୍ଟରେ ସାମିଲ ଥିଲେ । ବିକ୍ଷୋଭକାରୀଙ୍କ ହିଂସା ପ୍ରଦର୍ଶନ ବେଳେ ତାଙ୍କୁ ଗୁଳି ମାଡ ହୋଇଥିଲା । ଏଥିରେ ସେ ବଞ୍ଚି ଯାଇଥିବା ବେଳେ ତାଙ୍କ ସହଯୋଗୀ ଧର୍ମେନ୍ଦ୍ରଙ୍କ ପାଦରେ ଗୁଳି ମାଡ ହୋଇଥିବାରୁ ସେ ଚିକିତ୍ସାଧୀନ ଥିବା ଜଣାଯାଇଛି । ତେବେ ଶନିବାର ଫିରୋଜାବାଦରେ ହୋଇଥିବା ହିଂସା ଘଟଣାରେ ମୋଟ ୪୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ସିଏଏକୁ ନେଇ ଅନେକ ହିଂସା ଦେଖିବାକୁ ମିଳିଛି । କେଉଁଠି ପୋଲିସ ମାଡରେ ଆନ୍ଦୋଳନକାରୀମାନେ ଆହତ ହେଉଥିବା ବେଳେ, ଅନ୍ୟ କେଉଁଠି ବିକ୍ଷୋଭକାରୀଙ୍କ ହିଂସାର ଶିକାର ହେଉଛନ୍ତି ପୋଲିସ ।
